ବାରିପଦା: ଆଜି ସୁଭଦ୍ରା ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ହିତାଧିକାରୀମାନଙ୍କୁ ମିଳିଛି । ବାରିପଦାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ବାଣ୍ଟିଛନ୍ତି । ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବର ନବୀନ ସରକାରଙ୍କୁ ସମାଲୋଚନା କରିଛନ୍ତି । ନିଜ ଅମଳରେ ନବୀନ ସରକାର ମହାଜନୀ କାରବାର ଚଳାଉଥିଲେ ବୋଲି ମୋହନ ମାଝୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ସରକାରଙ୍କ ମହିଳା ସଶକ୍ତୀକରଣ କେବଳ ସ୍ଲୋଗାନରେ ସୀମିତ ଥିଲା । ପୂର୍ବ ସରକାର କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରୁଥିଲେ । ମହିଳାଙ୍କୁ ଋଣ ଦେବା ନାଁରେ ମହାଜନୀ କାରବାର କରାଉଥିଲେ ନବୀନ ସରକାର । ଆମ ସରକାର ମହିଳାମାନଙ୍କୁ ବିକାଶ ଯାତ୍ରାରେ ସାମିଲ କରିଛି ।
ସେ କହିଛନ୍ତି, ଆଜି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ମହିଳାଙ୍କୁ ଟଙ୍କା ଦିଆଗଲା । ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୧୭୫୦ କୋଟିର ସୁଭଦ୍ରା ଯୋଜନା ଦିଆଗଲା । ୨ୟ ପର୍ଯ୍ୟାୟରେ ମୋଟ୍ ୩ ହଜାର କୋଟି ଟଙ୍କାର ସହାୟତା ଦିଆଗଲାଣି ।
ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ । ସୁଭଦ୍ରା ଯୋଜନା ଓଡିଶାର ସର୍ବବୃହତ ଯୋଜନା । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଡବଲ ଇଞ୍ଜିନ ସରକାରକୁ ଆପଣ ସଫଳ କରିଛନ୍ତି । ଡବଲ ଇଞ୍ଜିନ ସରକାରରେ ଡବଲ ବିକାଶ ବିକାଶ ହେବ, ଡବଲ ଫାଇଦା ମିଳିବ ।
ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଆଜି ଦ୍ୱିର୍ଯ୍ୟାୟରେ ୩୫ ଲକ୍ଷ ଅଧିକ ହିତାଧିକାରୀଙ୍କୁ ଟଙ୍କା ଦିଆଗଲା। ଆଜି ସଂଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ଯିବ।