ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରୁ ଇଭିଏମ୍ ମେସିନ୍ ଏକ ଟ୍ରକରେ ଆସିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣଭାବେ ଖଣ୍ଡନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଗଞ୍ଜାମ ଜିଲ୍ଲାରୁ କୌଣସି ଇଭିଏମ୍ ମେସିନ୍ ଆସିନାହିଁ ଏବଂ ଇଭିଏମ୍ ମେସିନ୍ ଆଣିବା ଅସମ୍ଭବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ ।
ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଇଭିଏମ୍ ମେସିନ୍ ଚୋରି ନେଇ ଆସିଥିବା ଅଭିଯୋଗରୁ ଉପରୁ ପରଦା ହଟାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ । ସେ କହିଛନ୍ତି ନିର୍ଦ୍ଧିଷ୍ଟ ଦଳ ପକ୍ଷରୁ ଇଭିଏମ୍ ଚୋରି ନେଇ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ । ଇଭିଏମ୍ ଚୋରି ଅଭିଯୋଗ ଆସିବା ପରେ ନିର୍ବାଚନ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମର ଦୁଇଟି ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିବା ଇଭିଏମ୍ ମେସିନର ଯାଞ୍ଚ କରାଯାଇଛି । ଏହା ସହିତ ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଇଛି । ସେପରି କିଛି ସତ୍ୟତା ହସ୍ତଗତ ହୋଇ ନାହିଁ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।
ଏପରିକି ଅଭିଯୋଗ ଆଣିଥିବା ଦଳକୁ ଭିଡ଼ିଓ ପ୍ରମାଣ ମଗାଯାଇଥିଲା । ସେ ମଧ୍ୟ ଦୁଇ ଘଣ୍ଟାରେ ଭିଡ଼ିଓ ଦେବେ କହି ଦେଇ ନାହାଁନ୍ତି । ତେଣୁ କୌଣସି ଇଭିଏମ୍ ମେସିନ୍ ଚୋରି ହୋଇନଥିବା କହିଛନ୍ତି ନିର୍ବାଚନ ଅଧିକାରୀ ।
ସେହିପରି ସେ ଆହୁରି କହିଛନ୍ତି ଯେ ରାଜ୍ୟର ୩୦ଟି ଜିଲ୍ଲାରେ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ ମେସିନ ରହିଛି । ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତି ତିନି ମାସରେ ଥରେ ସମସ୍ତ ଷ୍ଟ୍ରଙ୍ଗ ରୁମର ଯାଞ୍ଚ କରାଯାଇଥାଏ । ଇଭିଏମ୍ ମେସିନ୍ ବାହାର କରିବାକୁ ହେଲେ ବିଭିନ୍ନ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିଥାଏ । ତାର ଅନେକ ପ୍ରୋସିଜ୍ୟୁଅର୍ ରହିଥାଏ । ତେଣୁ ଜଣେ ଚାହିଁଲେ ଇଭିଏମ୍ ଆଣିପାରିବେ ନାହିଁ । ଗଞ୍ଜାମ ଜିଲ୍ଲାରେ ଏ ମାସରେ କୌଣସି ଯାଞ୍ଚ ହୋଇନାହିଁ । ଏହା ସହିତ କେଉଁଠାକୁ ଇଭିଏମ୍ ମରାମତି ପଠାହେଲେ ତାର ପ୍ରତ୍ୟେକ ତଥ୍ୟ ରଖାଯାଇଥାଏ । କେଉଁଠିକୁ ଯିବ ଏବଂ କେଉଁ ଗାଡ଼ିରେ ଯାଉଛି ତାର ରିପୋର୍ଟ ରଖାଯାଇଥାଏ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ସେହିପରି ଆଜି ଯାଏ କୌଣସି ପରିସ୍ଥିତିରେ କୌଣସି କୋର୍ଟରେ ଇଭିଏମ୍ ଚୋରି ସମ୍ପର୍କିତ ମାମଲା ସତ୍ୟ ପ୍ରମାଣିିତ ହୋଇ ନାହିଁ । ଜଣେ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏଭଳି ଆଣିବା ଅତ୍ୟନ୍ତ ଦୁଃଖର ବିଷୟ । ଏହା ସହିତ ଏଭଳି ଅଭିଯୋଗକୁ ଗ୍ରହଣ ନ କରିବାକୁ ନୂଆପଡ଼ାବାସୀଙ୍କୁ ପରାମର୍ଶ ଦେଇଛନ୍ତି ନିର୍ବାଚନ ଅଧିକାରୀ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ବିଜୁ ଜନତା ଦଳ ପକ୍ଷରୁ ଇଭିଏମ୍ ଚୋରି ଅଭିଯୋଗ ଅଣାଯାଇଥିଲା । ଗଞ୍ଜାମ ଜିଲ୍ଲାରୁ ଏକ ଟ୍ରକରେ ଇଭିଏମ୍ ଭର୍ତ୍ତି କରି ନୂଆପଡ଼ା ଜିଲ୍ଲାପାଳ ଆଣିଥିବା ବିଜେଡ଼ି ଅଭିଯୋଗ କରିବା ସହିତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ ।