କୋଲକାତା: ଭାରତୀୟ ଜନତା ପାର୍ଟି(ବିଜେପି)ର ନେତା ମିଥୁନ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗରେ ହିନ୍ଦୁ ଭୋଟରଙ୍କୁ ଏକଜୁଟ ରହିବାକୁ ଅପିଲ୍ କରିଛନ୍ତି । ସେ କହିଛନ୍ତି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଅମାନବୀୟ ଅତ୍ୟାଚାର କେବଳ ମାତ୍ର ଟ୍ରେଲର । ଏହା ପରେ ପଶ୍ଚିମବଙ୍ଗରେ ହିନ୍ଦୁ ବଙ୍ଗାଳିଙ୍କ ଅସ୍ଥିତ୍ୱ ରହିବ କି ନାହିଁ ସନ୍ଦେହ । ଏଥର ହିନ୍ଦୁ ଭୋଟର ବିପୁଳ ମାତ୍ରାରେ ବିଜେପିକୁ ଭୋଟ୍ ଦେବାକୁ ଅପିଲ୍ କରି ମିଥୁନ କହିଛନ୍ତି, ଏହା ଆମର ଅସ୍ଥିତ୍ୱର ଲଢେଇ । ଏଥିରେ ଆପଣଙ୍କ ସମର୍ଥନ ନିତ୍ୟାନ୍ତ ଆବଶ୍ୟକ ।
ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, ଆଜି ବି ୯ ପ୍ରତିଶତ ହିନ୍ଦୁ ଆମକୁ ଭୋଟ୍ ଦେଉ ନାହାନ୍ତି । କିନ୍ତୁ ଏଥର ଘରୁ ବାହାରନ୍ତୁ ଓ ବିଜେପିକୁ ଭୋଟ୍ ଦିଅନ୍ତୁ । ବାଂଲାଦେଶ କେବଳ ଏକ ଟ୍ରେଲର, ଏହା ପରେ ପଶ୍ଚିମବଙ୍ଗରେ ହିନ୍ଦୁ ବଙ୍ଗାଳି ରହିବେ କି ନାହିଁ ତାହା ସନ୍ଦେହ । ଏଥର ଯଦି ହିନ୍ଦୁ ରାଜ୍ୟରେ ବିଜେପିକୁ ଭୋଟ୍ ନ ଦିଅନ୍ତି ତେବେ ଆଗାମୀ ଦିନରେ ହିନ୍ଦୁମାନଙ୍କୁ ବହୁତ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ ।
ମିଥୁନ ଚକ୍ରବର୍ତ୍ତୀଙ୍କ ଏହି ବୟାନକୁ ତୃଣମୂଳ କଂଗ୍ରେସ କଡା ବିରୋଧ କରିଛି । ଟିଏମସି ନେତା ଜୟପ୍ରକାଶ ମଜୁମଦାର କହିଛନ୍ତି, ମିଥୁନ ବାଂଲାଦେଶର ନାଁ ନେଇ ପଶ୍ଚିମବଙ୍ଗରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । କଣ ମିଥୁନ ମୁମ୍ବାଇ ଯାଇ ଏସବୁ କହି ପାରିବେ ? ଯଦି କେହି ବାଂଲାଦେଶର ନାଁ ନେଇ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରିବେ ତେବେ ପଶ୍ଚିମବଙ୍ଗ ଜନତା ଏହାକୁ ବରଦାସ୍ତ କରିବେ ନାହିଁ ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଜେପି ହିନ୍ଦୁ ଭୋଟରଙ୍କୁ ଏକଜୁଟ୍ କରିବା ପାଇଁ ଅନେକ ପ୍ରଚାର ଅଭିଯାନ ଆରମ୍ଭ କରି ଦେଇଛି । କୋଲକାତା ଓ ବିଭିନ୍ନ ଜିଲ୍ଲାରେ ହିନ୍ଦୁ ଏକତା ସନ୍ଦେଶ ଦେଇ ପୋଷ୍ଟର ଲଗାଯାଇଛି । ଏଥିରେ ହିନ୍ଦୁ ହିନ୍ଦୁ ଭାଇ-ଭାଇ ଲେଖା ହୋଇଛି । ରାମନବମୀ ଉତ୍ସବ ଉପଲକ୍ଷେ ବିଜେପି ନିଜର ଅଭିଯାନ ଜୋରଦାର କରିଛି ।