ଭୁବନେଶ୍ୱର: ବିଧାନସଭାର ମର୍ଯ୍ୟାଦା ଉଲ୍ଲଂଘନ ହୋଇଛି । ବିଧାନସଭାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । କୌଣସି ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଅପଚେଷ୍ଟା କରାଯାଇଛି । ବାଚସ୍ପତିଙ୍କୁ ଯେଉଁଭଳି ଭଳିଭାବେ ବ୍ୟବହାର କରାଗଲା ତାହାକୁ ନିନ୍ଦା କରିଛନ୍ତି ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ । ସେ ବିରୋଧୀଙ୍କ ଏଭଳି ଆଚରଣ, ଉଚ୍ଚାରଣ ଓ ବ୍ୟବହାରକୁ ବିଜେପି ତୀବ୍ର ନିନ୍ଦା କରୁଛି ବୋଲି କହିଛନ୍ତି ଶ୍ରୀଯୁକ୍ତ ସାମଲ ।
ଶ୍ରୀଯୁକ୍ତ ସାମଲ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀର ବିରୋଧୀ କଂଗ୍ରେସକୁ କଡ଼ା ନିନ୍ଦା କରିଛନ୍ତି । ବିଧାନସଭାର ମର୍ଯ୍ୟାଦା ଉଲ୍ଲଂଘନ ହୋଇଛି । ଯେଉଁ ଜଣେ ମହିଳା ବାଚସ୍ପତିଙ୍କୁ ବ୍ୟବହାର ପ୍ରଦର୍ଶନ କରାଯାଇଛି, ତାହା ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଠାରୁ ଆଶା କରାଯାଇ ନ ଥାଏ ବୋଲି କହିଛନ୍ତି ମନମୋହନ । ବିରୋଧୀ ଦଳ ଗଠନ ମୂଳକ ପ୍ରସ୍ତାବ ଦେବାକୁ କେହି ମନା କରି ନାହାଁନ୍ତି । ସରକାରଙ୍କୁ ସମାଲୋଚନା କରିବାକୁ କେହି ମନା କରୁ ନାହାଁନ୍ତି । କିଛି ପ୍ରଚାର ଏବଂ ଅପପ୍ରଚାର କରି ସର୍ଟକର୍ଟ୍ ରାଜନୀତି କରୁଛନ୍ତି । ମାନସିକ ଦୃଷ୍ଟିରେ ରହି ଏବେବି ସରକାର ଅଛନ୍ତି ବୋଲି ଯେଉଁମାନେ ଭାବୁଛନ୍ତି, ସେମାନେ ଜୋସରେ ନୁହେଁ ହୋସରେ ଆସନ୍ତୁ ବୋଲି କହିଛନ୍ତି ବିଜେପି ସଭାପତି ।
ସେ ଆହୁରି କହିଛନ୍ତି ଓଡ଼ିଶାର ଜନମତକୁ ସ୍ୱୀକାର କରିବା ଆବଶ୍ୟକ । ଜନମତ ବିରୋଧୀ ଦଳଙ୍କୁ ପ୍ରତ୍ୟାଖାନ କରିଛି ତାହାକୁ ସ୍ୱୀକାର କରିବାକୁ ପଡ଼ିବ । ଆଇନକୁ ହାତକୁ ନେଇ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳିବାର ଅଧିକାର କାହାର ନାହିଁ । ଏଭଳି ଆଚରଣ, ଉଚ୍ଚାରଣ ଓ ବ୍ୟବହାରକୁ ବିଜେପି ତୀବ୍ର ନିନ୍ଦା କରୁଛି ।
ବିଜେପି ଗଣତନ୍ତ୍ରରେ ବିଶ୍ୱାସ କରେ । ରାଜନୈତିକ ବ୍ୟବସ୍ଥାକୁ ବିଶ୍ୱାସ କରେ । ଯେଉଁମାନେ ରାଜନୈତିକ ବ୍ୟବସ୍ଥାକୁ ଉପଚେଷ୍ଟା କରୁଥିଲେ, ସେମାନଙ୍କୁ ସାଧାରଣ ଜନତା ଉଚିତ ଜବାବ ଦେଇଛନ୍ତି । ସେମାନ ସେଥିରୁ ଶିକ୍ଷା ଲାଭ କରିବା ଦରକାର । ବିଗତ ସମୟରେ ୫୬ ବର୍ଷର କଂଗ୍ରେସ ଶାସନରେ ଥିଲେ କାହିଁକି ଲୋକ ପ୍ରତ୍ୟାଖାନ କଲେ ତାକୁ ଆତ୍ମସମୀକ୍ଷା କରିବା ଉଚିତ ।
ସରକାରଙ୍କୁ ବିରୋଧୀ ଗଠନ ମୂଳକ ସମାଲୋଚନା କରନ୍ତୁ । ହୃଦୟକୁ ବଡ଼ କରନ୍ତୁ । ଓଡ଼ିଶାର ଜନ ସାଧାରଣ ସ୍ୱାର୍ଥକୁ ଦୃଷ୍ଟି ରଖି ପ୍ରସ୍ତାବ ଦିଅନ୍ତୁ । ଗୋଟିଏ ଦାୟିତ୍ୱବାନ ବିରୋଧୀ ଦଳ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି ମନମୋହନ ସାମଲ ।