ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ତାଲିକା ଜାରି କରିଛି। ଏଥର ବିଜେପି ମାତ୍ର ୧୫ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି।
ବିଜେପି ପାମ୍ପୋରରେ ସୟଦ ସୌକତ ଗୟୁର ଅନ୍ଦ୍ରାବୀ, ରାଜପୋରାରେ ଅର୍ଶୀଦ ଭଟ୍ଟ, ଶୋପିଆରେ ଜାଭେଦ ଅହମଦ କାଦରୀ, ଅନନ୍ତନାଗ (ପଶ୍ଚିମ)ରେ ମହମ୍ମଦ ରଫିକ ୱାନୀ, ଅନନ୍ତନାଗରେ ଆଇନଜୀବୀ ସୟଦ ୱଜାହତ, ଶ୍ରୀଗୁଫାୱାଡା ବିଜବେହରାରେ ସୋଫି ୟୁସୁଫ, ଶାନଗୁସ ଅନନ୍ତନାଗ (ପୂର୍ବ)ରେ ବୀର ସରାଫ, ଇନ୍ଦ୍ରରୱଲରେ ତାରିକ କୀନ, ଶିସ୍ତୱାଡରେ ସୁଶ୍ରୀ ଶଗୁନ ପରିହାର, ପାଡେର-ନାଗସେନୀରେ ସୁନୀଲ ଶର୍ମା, ଭଦରୱାହରେ ଦଲୀପ ସିଂହ ପରିହାର, ଡୋଡାରେ ଗଜୟ ସିଂହ ରାଣା, ଡୋଡା (ପଶ୍ଚିମ)ରେ ଶକ୍ତି ରାଜ ପରିହାର, ରାମବାଣରେ ରାକେଶ ଠାକୁର ଓ ବନିହାଲରେ ସଲୀମ ଭଟ୍ଟଙ୍କୁ ଟିକେଟ୍ ଦେଇଛି।
ଜମ୍ମୁ-କଶ୍ମୀରରେ ଏଥର ୩ଟି ପର୍ଯ୍ୟାୟରେ ମତଦାନ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ସେପ୍ଟେମ୍ବର ୨୫ ଓ ଅକ୍ଟୋବର ପହିଲାରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଅକ୍ଟୋବର ୪ତାରିଖରେ ଭୋଟ୍ ଗଣତି ହେବ।
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର ସନ୍ଧ୍ୟାରେ ବୈଠକ ବସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିର ଅନ୍ୟ ସଦସ୍ୟମାନେ ଜମ୍ମୁ-କଶ୍ମୀରର ଦଳୀୟ ନେତାଙ୍କ ସହ ବୈଠକରେ ଯୋଗ ଦେଇଥିଲେ।
ଗତ ସପ୍ତାହରେ ଜମ୍ମୁ-କଶ୍ମୀରନେତାମାନେ ନଡ୍ଡା ଏବଂ ଶାହଙ୍କ ସହ ବୈଠକ କରି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ସହ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ କଶ୍ମୀରରେ ବିଧାନସଭା ନିର୍ବାଚନ ହେଉଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ପହିଲାରେ ମତଦାନ ହେବ। ଅକ୍ଟୋବର ୪ତାରିଖରେ ଭୋଟ୍ ଗଣତି ହେବ। ଗତ ୨୦୧୪ ବିଧାନସଭା ନିର୍ବାଚନରେ ଜମ୍ମୁ-କଶ୍ମୀରରେ ବିଜେପି ୨୫ଟି ଆସନ ରେ ବିଜୟୀ ହୋଇଥିବା ବେଳେ ୨୦୧୪ରୁ ହରିୟାଣାରେ ବିଜେପି କ୍ଷମତାରେ ରହିଛି।
ଅଧିକ ପଢ଼ନ୍ତୁ: ହରିଆଣା ବିଧାନସଭା ନିର୍ବାଚନ ନେଇ ଖୁବଶୀଘ୍ର ହେବ ବୈଠକ