ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର ସନ୍ଧ୍ୟାରେ ବୈଠକ ବସିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳର ୫୦ରୁ ଅଧିକ ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିର ଅନ୍ୟ ସଦସ୍ୟମାନେ ଜମ୍ମୁ-କଶ୍ମୀରର ଦଳୀୟ ନେତାଙ୍କ ସହ ବୈଠକରେ ଯୋଗ ଦେଇଥିଲେ। ହରିୟାଣା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟି ଚଳିତ ସପ୍ତାହ ଶେଷ ଆଡ଼କୁ ଆଉ ଏକ ବୈଠକ କରିବାର ସମ୍ଭାବନା ରହିଛି।
ଗତ ସପ୍ତାହରେ ଜମ୍ମୁ-କଶ୍ମୀରନେତାମାନେ ନଡ୍ଡା ଏବଂ ଶାହଙ୍କ ସହ ବୈଠକ କରି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ସହ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ପହିଲାରେ ତିନୋଟି ପର୍ଯ୍ୟାୟରେ ୯୦ ଆସନ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ କଶ୍ମୀରରେ ବିଧାନସଭା ନିର୍ବାଚନ ହେଉଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ପହିଲାରେ ମତଦାନ ହେବ। ଅକ୍ଟୋବର ୪ତାରିଖରେ ଭୋଟ୍ ଗଣତି ହେବ। ଗତ ୨୦୧୪ ବିଧାନସଭା ନିର୍ବାଚନରେ ଜମ୍ମୁ-କଶ୍ମୀରରେ ବିଜେପି ୨୫ଟି ଆସନ ରେ ବିଜୟୀ ହୋଇଥିବା ବେଳେ ୨୦୧୪ରୁ ହରିୟାଣାରେ ବିଜେପି କ୍ଷମତାରେ ରହିଛି।
ଅଧିକ ପଢ଼ନ୍ତୁ: ମହିଳା ବିରୋଧୀ ଅପରାଧୀଙ୍କୁ ଛଡ଼ାଯିବ ନାହିଁ