ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ। କେତେବେଳେ ଗୀତ ଗାଇ ତ ଆଉ କେତେବେଳେ ହୁଳହୁଳି ପକାଇ କିମ୍ବା ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଗତକାଲି ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ।
ବୁଧବାର ଅର୍ଥାତ ଗତକାଲି ଗଞ୍ଜାମ ଜିଲ୍ଲାର ଶେରଗଡ଼-ପୁରୀ ରୁଟ୍ ମଧ୍ୟରେ ସାଧାରଣଯାତ୍ରୀଙ୍କ ଗମନାଗମନ ପାଇଁ ନୂତନ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ଫଳରେ ଶେରଗଡ଼ ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ଉପକୃତ ହୋଇପାରିବେ। ତେବେ ରୋଚକର ବିଷୟ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡରେ ଉପସ୍ଥିତ ଥିବାବେଳେ ବିଜେଡି ସାଂସଦ ପ୍ରମିଳା ବିଶୋୟୀ ନିଜ ଭାଷଣରେ ଧନ୍ୟବାଦ ଦେବାବେଳେ 'ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁ' ବୋଲି କହିଥିଲେ। ଥରେ ନୁହେଁ, ଦୁଇ ଦୁଇ ଥର ପାଣ୍ଡିଆନଙ୍କୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରି ସଭାରେ ନିଜର ଅଭିଭାଷଣ ରଖିଥିଲେ। ପାଖରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବି ଉପସ୍ଥିତ ଥିଲେ। ଅଥଚ କେହି କିଛି କହି ନଥିଲେ। ତେବେ ଜଣେ ସାଂସଦ ହୋଇ କେଉଁ ପରିସ୍ଥିତିରେ ୫ଟି ସଚିବଙ୍କୁ ‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁ’ ବୋଲି ଦୁଇ ଦୁଇ ଥର ସମ୍ବୋଧନ କଲେ। ଏହାର ଭିଡ଼ିଓ ଭାଇରାଲ ହେବା ପରେ ଚାରିଆଡେ ଜୋରଦାର ଚର୍ଚ୍ଚା ଚାଲିଛି । ସେ ଏପରି କାହିଁକି କହିଲେ, ନା ଭୁଲରେ ତାଙ୍କ ପାଟିରୁ କଥା ଖସିଗଲା ସେନେଇ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।