ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀ ନୂଆ ମୁଖ୍ୟମନ୍ତ୍ରୀ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀରେ ବାସଗୃହ ଖୋଜିବା ଜୋରଦାର କରାଯାଇଛି। କୁହାଯାଉଛି ଯେ ଆପ୍ ମୁଖ୍ୟ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବେ। ଆମ୍ ଆଦମୀ ପାର୍ଟି ତାଙ୍କୁ ଘର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ବର୍ତ୍ତମାନ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ବିଷୟରେ ଖବର ହେଉଛି ଯେ ଦଳର ଅନେକ ବିଧାୟକ, କର୍ପୋରେଟର, ଦଳୀୟ କର୍ମୀ ଏବଂ ସାଧାରଣ ନାଗରିକ ସେମାନଙ୍କର ସାମାଜିକ- ଅର୍ଥନୈତିକ କିମ୍ବା ରାଜନୈତିକ ପୃଷ୍ଠଭୂମି ନିର୍ବିଶେଷରେ ତାଙ୍କୁ ଏକ ଘର ପ୍ରଦାନ କରୁଛନ୍ତି। ସେମାନେ ଆଣିଥିବା ଅଧିକାଂଶ ବିକଳ୍ପ ନୂଆଦିଲ୍ଲୀ ଅଞ୍ଚଳ ବାହାରେ ରହିଛି।
ଅରବିନ୍ଦ କେଜ୍ରିଓ୍ଵାଲ ନିଜ ନିର୍ବାଚନ ମଣ୍ଡଳୀ ନୂଆଦିଲ୍ଲୀ ନିକଟରେ ରହିବାକୁ ପସନ୍ଦ କରନ୍ତି। ଯାହାଫଳରେ ସେ ନିଜ ନିର୍ବାଚନ ମଣ୍ଡଳୀ ସହ ଯୋଡ଼ି ହୋଇ ରହିବେ। ବର୍ତ୍ତମାନ ପୂର୍ବତନ ମୁଖ୍ୟମନ୍ତ୍ରୀ କେଉଁଠି ରହିବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କିନ୍ତୁ ଖୁବ୍ ଶୀଘ୍ର ସେ ଏକ ସ୍ଥାନ ସ୍ଥିର କରିବେ ବୋଲି କୁହାଯାଉଛି।
ସେପ୍ଟେମ୍ବର ୧୮ରେ ଆପ୍ ସାଂସଦ ସଞ୍ଜୟ ସିଂହ କହିଥିଲେ ଯେ ଆପ୍ ନେତା କେଜ୍ରିୱାଲ କିଛି ସପ୍ତାହ ମଧ୍ୟରେ ସରକାରୀ ବାସଭବନ ଖାଲି କରିଦେବେ। ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅନେକ ସୁବିଧା ମିଳିଛି, କିନ୍ତୁ ସେ ଇସ୍ତଫା ଦେବା ମାତ୍ରେ ସମସ୍ତ ସରକାରୀ ସୁବିଧା ସୁଯୋଗ ଛାଡିଦେବେ ବୋଲି କହିଥିଲେ।
ଅରବିନ୍ଦ କେଜ୍ରିୱାଲ ସେପ୍ଟେମ୍ବର ୧୭ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ସମୟରେ ସେ କହିଥିଲେ ଯେ କିଛି ଲୋକ ତାଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଉଛନ୍ତି, ତେଣୁ ଯେପର୍ଯ୍ୟନ୍ତ ଦିଲ୍ଲୀବାସୀ ତାଙ୍କୁ ପୁନର୍ବାର ନିର୍ବାଚିତ ନ କରିବେ ଏବଂ ତାଙ୍କୁ ସଚ୍ଚୋଟତାର ପ୍ରମାଣପତ୍ର ନଦେବେ ସେ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବି ନାହିଁ। ଅରବିନ୍ଦ କେଜ୍ରିଓ୍ଵାଲ ସଚ୍ଚୋଟ ବୋଲି ଭାବି ବିଧାନସଭା ନିର୍ବାଚନରେ ମତଦାନ କରନ୍ତୁ ବୋଲି ସେ ତାଙ୍କ ଏକ ବୟାନରେ କହିଛନ୍ତି।
ଅଧିକ ପଢ଼ନ୍ତୁ: ୪ ଯବାନ ଆହତ, ସେନାର ସର୍ଚ୍ଚ ଅପରେସନ ଜାରି