ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଶନିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ସେନାର ୩ ଜଣ ଯବାନ ଓ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଆଜି ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପକ୍ଷରୁ କୁଲଗାମର ଅରିଗାମରେ ମିଳିତ ଅପରେସନ୍ ଆରମ୍ଭ କରାଯାଇଛି। ଖୋଜାଖୋଜି ବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇବା ସହ ଗୁଳିଚାଳନା ଆରମ୍ଭ ହୋଇଥିଲା। ଅପରେସନ୍ ଜାରି ରହିଛି।
ସୋସିଆଲ ମିଡିଆରେ ସୂଚନା ଦେଇ ଜମ୍ମୁ-କଶ୍ମୀର ପୁଲିସ ଲେଖିଛି, କୁଲଗାମର ଆଦିଗାମ ଦେବସର ଅଞ୍ଚଳରେ ଏନକାଉଣ୍ଟର ଚାଲିଛି। ଘଟଣାସ୍ଥଳରେ ପୁଲିସ ଓ ସୁରକ୍ଷାକର୍ମୀ ଉପସ୍ଥିତ ଅଛନ୍ତି। ସେପଟେ ଆତଙ୍କବାଦୀମାନେ ଯେପରି ଖସି ନ ଯାଆନ୍ତି ସେଥିପାଇଁ ଅତିରିକ୍ତ ସୁରକ୍ଷା ବାହିନୀକୁ ଡକାଯାଇଛି। ଏହି ଅପରେସନରେ ସେନା, ଜମ୍ମୁ-କଶ୍ମୀର ପୁଲିସ ଏବଂ ସୁରକ୍ଷା ଏଜେନ୍ସି ମଧ୍ୟ ସାମିଲ ଅଛନ୍ତି। ପୂରା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି।
ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆତଙ୍କବାଦୀମାନେ ଲଗାତାର ଉଦ୍ୟମ ଜାରି ରଖିଛନ୍ତି। ଏହି କାରଣରୁ ଉପତ୍ୟକାରେ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଲଗାତାର ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ଶୁକ୍ରବାର ପୁଲୱାମାର ଅବନ୍ତିପୋରାରେ ଏକ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି ପୁଲିସ । ପୁଲିସ ଜୈଶ-ଏ-ମହମ୍ମଦର ୬ ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ଯୁବକମାନଙ୍କୁ ଆତଙ୍କବାଦର ପ୍ରଶିକ୍ଷଣ ଦେଉଥିଲେ। ପୁଲିସ ସେମାନଙ୍କ ଠାରୁ ୫ଟି ଆଇଇଡି, ୩୦ଟି ଡେଟୋନେଟର, ୧୭ଟି ଆଇଇଡି ବ୍ୟାଟେରୀ, ୨ଟି ପିସ୍ତଲ, ୩ଟି ମାଗାଜିନ୍, ୨୫ ରାଉଣ୍ଡ, ୪ଟି ହ୍ୟାଣ୍ଡ ଗ୍ରେନେଡ୍ ଓ ନଗଦ ୨୦ ହଜାର ଟଙ୍କା ଜବତ କରିଛି।
ଅଧିକ ପଢ଼ନ୍ତୁ: କୁଲଗାମରେ ଲୁଚିଛନ୍ତି ଦୁଇ ଆତଙ୍କବାଦୀ