ବେଙ୍ଗାଲୁରୁ: ପ୍ରାୟ ଗୋଟିଏ ବର୍ଷ ହେବ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି । ଶିବକୁମାର ଗୋଷ୍ଠୀଙ୍କ କହିବା କଥା ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଅଢେଇ ଅଢେଇ ବର୍ଷ ଫର୍ମୁଲା ଉପରେ ନିଷ୍ପତ୍ତି ହୋଇଥିଲା । ସେହି ଆଧାରରେ ସିଦ୍ଧରମୈୟାଙ୍କୁ ଏବେ ମୁଖ୍ୟମନ୍ତ୍ରୀ ପଦ ଶିବକୁମାରଙ୍କୁ ଦେଇ ଦେବା ଉଚିତ୍ ବୋଲି କହୁଛନ୍ତି । ମାତ୍ର ସିଦ୍ଧରମୈୟା ଗୋଷ୍ଠୀ ଏହାକୁ ମନା କରି ଚାଲିଛନ୍ତି । ମାମଲା ହାଇକମାଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ପ୍ରଶମିତ କରିବା ପାଇଁ ଅନେକ ଥର ପ୍ରୟାସ କରାଯାଇଛି । ଏମିତି ମଧ୍ୟ କୁହାଯାଉଛି ଯେ, ସିଦ୍ଧରମୈୟା ନିଜର ନିକଟତର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇ ହିଁ ହଟିବେ । ଏସବୁ ମଧ୍ୟରେ କଂଗ୍ରେସରେ କ୍ଷମତା ପାଇଁ ତୃତୀୟ ମୋର୍ଚ୍ଚା ଖୋଲିବା ଆରମ୍ଭ ହୋଇ ଯାଇଛି ।
ବେଙ୍ଗାଲୁରୁରେ ଏସସି, ଏସଟି ଓ ଲିଙ୍ଗାୟତ ସମୁଦାୟର ବିଧାୟକମାନଙ୍କ ବୈଠକ ହୋଇଛି । ଏହି ବିଧାୟକଙ୍କ ଇଚ୍ଛା ତାଙ୍କ ସମୁଦାୟରୁ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ କିମ୍ବା କ୍ୟାବିନେଟ୍ ସଂପ୍ରସାରଣ ସମୟରେ ଅଧିକରୁ ଅଧିକ ମନ୍ତ୍ରୀ ପଦ ମିଳୁ । ଲିଙ୍ଗାୟତ ବିଧାୟକଙ୍କ ବୈଠକ ସୋମବାର ରାତିରେ ଉଦ୍ୟୋଗ ମନ୍ତ୍ରୀ ଏମବି ପାଟିଲଙ୍କ ନେତୃତ୍ୱରେ ବସିତିଲା । ଏହା ବ୍ୟତୀତ ଏସସି-ଏସଟି ବର୍ଗର ବିଧାୟକଙ୍କ ବୈଠକ ଗୃହ ମନ୍ତ୍ରୀ ଜି ପରମେଶ୍ୱରଙ୍କ ବାସଭବନରେ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା । ଏହା ପୂର୍ବରୁ ନଭେମ୍ବର ଓ ଡିସେମ୍ବରରେ ସିଦ୍ଧରମୈୟା ଓ ଶିବକୁମାର ଗୋଷ୍ଠୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ତେବେଠୁ ସ୍ଥିତି ସମାନ ରହିଛି । କିନ୍ତୁ ତୃତୀୟ ମୋର୍ଚ୍ଚା ଖୋଲିବା ନେଇ ବସୁଥିବା ବିଧାୟକଙ୍କ ବୈଠକ କର୍ଣ୍ଣାଟକ ରାଜନୀତିକୁ ସରଗରମ କରିଛି ।
ସୂତ୍ର ଅନୁଯାୟୀ, ଏହି ବୈଠକ ଏଥିପାଇଁ ଡକାଯାଇଥିଲା ଯଦ୍ୱାରା ନିଜ ସମୁଦାୟର ଶକ୍ତି ପ୍ରଦର୍ଶନ କରାଯାଇ ହାଇକମାଣ୍ଡଙ୍କ ଉପରେ ଚାପ ପକାଯାଇ ପାରିବ । ଅନ୍ୟପଟେ କଂଗ୍ରେସର କିଛି ନେତାଙ୍କ କହିବା କଥା ଏମବି ପାଟିଲ ଓ ଜି ପରମେଶ୍ୱର ଉଭୟ ସିଦ୍ଧରମୈୟା ଗୋଷ୍ଠୀର । ତେଣୁ ଏହି ବୈଠକ ବୋଧହୁଏ ଶିବକୁମାର ଗୋଷ୍ଠୀଙ୍କୁ ଜବାବ ଦେବା ପାଇଁ ହୋଇଥିଲା । ଶିବକୁମାର ଭୋକ୍କଲିଗା ସମୁଦାର ନେତା, ଯିଏ ରାଜ୍ୟର ଦ୍ୱିତୀୟ ସବୁଠୁ ବଡ ସମୁଦାୟ । ମାତ୍ର ସବୁଠୁ ବଡ ସଂଖ୍ୟା ହେଉଛି ଲିଙ୍ଗାୟତ । ଏମିତିରେ ବି ରାଜ୍ୟରେ ଏସସି ଓ ଏସଟି ସମୁଦାୟଙ୍କ ସଂଖ୍ୟା ମଧ୍ୟ ବେଶ ଅଧିକ ରହିଛି. ତେଣୁ ଏହି ଦୁଇ ବର୍ଗର ବିଧାୟକଙ୍କ ବୈଠକ କରାଯାଇ ଶିବକୁମାରଙ୍କୁ ବ୍ୟାକଫୁଟରେ ରଖିବାକୁ ଉଦ୍ୟମ କରାଯାଉଥିବା ଚର୍ଚ୍ଚା ହେଉଛି ।
Also read: ମୁଖ୍ୟମନ୍ତ୍ରୀ ଯୁବ ଆତ୍ମନିଯୁକ୍ତି ଯୋଜନା: ୧୦ ଦିନରେ ୫,୦୦୦ରୁ ଅଧିକ ଆବେଦନ