ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ହରିୟାଣାରେ ବିଜେପିର ବିଜୟ ଓ କଂଗ୍ରେସର ପରାଜୟକୁ ନେଇ ସତର୍କ ହୋଇ ଯାଇଛନ୍ତି । କେଜ୍ରିୱାଲ ମଙ୍ଗଳବାର ଗୋଟିଏ ପଟେ ହରିୟାଣା କଂଗ୍ରେସକୁ ଆକ୍ଷେପ କରିଥିବା ବେଳେ ଅନ୍ୟପଟେ ନିଜ ପାର୍ଟିର ନେତାଙ୍କୁ ଉପଦେଶ ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜ ନେତାଙ୍କୁ ଆତ୍ମ ବିଶ୍ୱାସରୁ ଦୂରେଇ ରହିବା ଏବଂ ଜନତାଙ୍କ ସେବା କରିବାକୁ କହିଛନ୍ତି । ନିର୍ବାଚନ ପର୍ଯ୍ୟନ୍ତ ଏକଜୁଟ ରୁହନ୍ତୁ ଏବଂ ପରସ୍ପର ମଧ୍ୟରେ ଲଢେଇ ନ କରିବାକୁ ସେ କହିଛନ୍ତି ।
ଅରବିନ୍ଦ କେଜ୍ରିୱାଲ ପାର୍ଟି ନେତାଙ୍କୁ ସମ୍ବୋଧିତ କରି କହିଛନ୍ତି, ନିର୍ବାଚନ ଆଗକୁ ଅଛି । କୌଣସି ନିର୍ବାଚନକୁ ହାଲୁକା ଭାବେ ନିଅନ୍ତୁ ନାହିଁ। ଜଣା ନାହିଁ ଫଳାଫଳ କଣ ହେବ ମାତ୍ର ଆଜିର ନିର୍ବାଚନ ଫଳାଫଳରୁ ସବୁଠୁ ବଡ ଶିକ୍ଷା ଯେ, ଅତି ଆତ୍ମ ବିଶ୍ୱାସ ହେବା ଉଚିତ୍ ନୁହେଁ । ପ୍ରତି ନିର୍ବାଚନ କଠିନ ହେବ । ତେଣୁ ଆମକୁ ପରିଶ୍ରମ କରିବାକୁ ପଡିବ ।
କେଜ୍ରିୱାଲ ନିଜ ନେତାଙ୍କୁ ପରସ୍ପର ସହ କଳହ ନ କରି, ଝଗଡା ନ କରି ଏକତ୍ର ରହି କାମ କରିବାକୁ କହିଛନ୍ତି । ଯାହା କିଛି ଲଢେଇ କରିବା କଥା ମାର୍ଚ୍ଚ ଏପ୍ରିଲ ମାସରେ କରିବା । ଏବେ ନିର୍ବାଚନ ଜିତିବା ଆମର ଲକ୍ଷ୍ୟ ହେବା ଉଚିତ୍ । ଫେବୃଆରୀରେ ନିର୍ବାଚନ ହେବାକୁ ଯାଉଛି । କଂଗ୍ରେସର କଳହକୁ ଇସାରା କରି ଆପ୍ ସଂଯୋଜକ ନିଜ ଦଳର ନେତାଙ୍କୁ ଉପଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ୫୧ ସିଟରେ ଅଗ୍ରଣୀ ହାସଲ କରି ସରକାର ଗଢିବାକୁ ଯାଉଛି । କଂଗ୍ରେସ ୩୩ ସିଟରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ଖାତାକକୁ ୬ ସିଟ୍ ଯାଇପାରେ । କଂଗ୍ରେସ ଅତି ଆତ୍ମ ବିଶ୍ୱାସ ହେବା ଦଳକୁ ମହଙ୍ଗା ପଡିଥିବା ରାଜନୈତିକ ସମୀକ୍ଷକ କହିଛନ୍ତି ।