ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲାରେ ରାଜ୍ୟ କଂଗ୍ରେସ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ପିକେଟିଂ କରିବା ସହିତ ଶୋଭାଯାତ୍ରା କରୁଛନ୍ତି । ଏହି ବନ୍ଦର ପ୍ରଭାବ ପଡ଼ିଛି । ବିକ୍ଷୋଭକାରୀଙ୍କ ଉତ୍ପାତ ମଧ୍ୟ ଦେଖିବାକୁ ମିଳିଛି ।
ଜଗତସିଂହପୁରରେ ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ କର୍ମୀ ମାଡ଼ ମାରିଥିବାର ଜଣାପଡ଼ିଛି । ସେହିପରି ଭୁବନେଶ୍ୱର ଓ କଟକ ବସ୍ ଟର୍ମିନାଲରେ ବସ୍ ଚଳାଚଳ ବନ୍ଦ ରହିଛି । ଫଳରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । କେତେକ ସ୍ଥାନରେ ଆନ୍ଦୋଳନକାରୀମାନେ ରୋଗୀଙ୍କୁ ଛାଡ଼ୁ ନ ଥିବା ଜଣାପଡ଼ିଛି । ସେପଟେ ପୁରୀ ଏବଂ କୋଣାର୍କରେ ପର୍ଯ୍ୟଟକମାନେ ମଧ୍ୟ ଆନ୍ଦୋଳନ ଯୋଗୁଁ ଫସି ରହିଛନ୍ତି । କଂଗ୍ରେସ ନେତା ସୁର ରାଉତରାୟଙ୍କ ନେତୃତ୍ୱରେ ବାହାରିଥିବା ଦଳ ଦୋକାନ ବନ୍ଦ କରିବା ସହିତ ବରା ଏବଂ ସିଙ୍ଗଡ଼ା ଖାଦ୍ୟ ଫୋପାଡ଼ି ଦେଇଛନ୍ତି । ସେପଟେ ବିଭିନ୍ନ ସ୍ଥାନରେ ଟ୍ରେନ୍ ମଧ୍ୟ ଅଟକାଇଛନ୍ତି । ରେଳ ଧାରଣା ଉପରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଅନ୍ୟପକ୍ଷରେ ବନ୍ଦ ପାଳନକୁ ଦୃଷ୍ଟିରେ ରଖି ବିଧାନସଭା ଏବଂ ଲୋକସେବା ଭବନକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ପୋଲିସ ଏସକର୍ଟ ମଧ୍ୟରେ ମନ୍ତ୍ରୀ ଏବଂ ଅଧିକାରୀମାନେ ଲୋକସେବା ଭବନକୁ ଯାଇଛନ୍ତି ।