ନୂଆଦିଲ୍ଲୀ: ୱକଫ୍ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଅଶାନ୍ତ ବାତାବରଣ ମଙ୍ଗଳବାର ଟିକେ ଶାନ୍ତ ପଡ଼ିଛି । ସ୍ଥିତି ନିୟନ୍ତ୍ରଣରେ ଥିବା ସେଠାକାର ପୋଲିସ ପ୍ରଶାସନ କହିଛି । ଏହାରି ମଧ୍ୟରେ ବହୁ ବରିଷ୍ଠ ନେତାମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି । ଏହି କ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ ସାମ୍ନାକୁ ଆସିଛି । ‘ଲାତୋଁ କେ ଭୂତ ବାତୋଁ ସେ ନେହିଁ ମାନତେ’ ବୋଲି କହିଛନ୍ତି ଯୋଗୀ ।
ଯୋଗୀ ଆଦିତ୍ୟନାଥ ମୁର୍ଶିଦାବାଦ ହିଂସାକାଣ୍ଡକୁ ନେଇ ମମତାଙ୍କ ଉପରେ ବର୍ଷିଛନ୍ତି । ବଙ୍ଗଳା ଜଳୁଛି, ସେଠାକାର ମୁଖ୍ୟମନ୍ତ୍ରୀ ନୀରବ ଅଛନ୍ତି । ସେ ଦଙ୍ଗାକାରୀମାନଙ୍କୁ ଶାନ୍ତି ଦୂତର ଆଖ୍ୟା ଦେଉଛନ୍ତି । ତେଣୁ ‘ଲାତୋଁ କେ ଭୂତ ବାତୋଁ ସେ ନେହିଁ ମାନତେ’ ଅର୍ଥାତ୍ ଜିଦଖୋର ବ୍ୟକ୍ତି କଥାରେ ଶୁଣନ୍ତି ନାହିଁ ବୋଲି କହିଛନ୍ତି ଯୋଗୀ । ଧର୍ମନିରପେକ୍ଷତା ନାମରେ, ଦଙ୍ଗାକାରୀମାନଙ୍କୁ ଖୋଲା ହାତରେ ଛଡ଼ାଯାଇଛି । ଗତ ଏକ ସପ୍ତାହ ଧରି ମୁର୍ଶିଦାବାଦ ଜଳୁଛି। ସରକାର ନୀରବ। ଏହି ପ୍ରକାରର ଅରାଜକତାକୁ ଦମନ କରିବାକୁ ପଡିବ ବୋଲି କହିଛନ୍ତି ଯୋଗୀ ।
ସେପଟେ ଅନେକ ହିନ୍ଦୁ ସଂଗଠନ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ମୁଖପାତ୍ର ଶିଶିର ଚତୁର୍ବେଦୀ କହିଛନ୍ତି ପଶ୍ଚିମବଙ୍ଗରେ ମୁର୍ଶିଦାବାଦ ଜଳୁଛି । ବୋହୂ-ଝିଅଙ୍କ ଇଜ୍ଜତ ଲୁଟା ଯାଉଛି । ଘରେ ନିଆଁ ଲଗାଇ ଦିଆଯାଉଛି । ଲୋକେ ବାଧ୍ୟ ହୋଇ ପଳାୟନ କରୁଛନ୍ତି । ରାଜ୍ୟର ମମତା ବାନାର୍ଜୀ ସରକାର ହିନ୍ଦୁଙ୍କ ସହ କଣ କରୁଛନ୍ତି ? ମାମଲାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରାଯାଉ ଓ ଶୀଘ୍ର ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅପିଲ କରିଛନ୍ତି ।