କୋଲକାତା: ୱକଫକୁ ନେଇ ଜଳୁଛି ପଶ୍ଚିମବଙ୍ଗ । ୱକଫ୍ ବିରୋଧୀ ହିଂସାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅନ୍ୟପକ୍ଷରେ ପ୍ରଥମେ ପଶ୍ଚିମବଙ୍ଗକୁ ବାଂଲାଦେଶରେ ପରିଣତ କରିବାକୁ ଧମକ ଦେଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ନିଜ କଥାକୁ ଦୋହରାଇଛନ୍ତି । ପଶ୍ଚିମବଙ୍ଗରେ କୌଣସି ପ୍ରକାରରେ ୱକଫ୍ ସଂଶୋଧିତ ଆଇନ ଲାଗୁ ହେବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି । ସେପଟେ ହିଂସା ନ କରିବାକୁ ଆହ୍ୱାନ କରିଛନ୍ତି ।
ମୁର୍ଶିଦାବାଦ ସମସେରଗଞ୍ଜରେ ହୋଇଥିବା ହିଂସାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଘରୁ ବାପ ଓ ପୁଅର ରକ୍ତାକ୍ତ ମୃତ ଦେହ ଜବତ କରିଛି ପୋଲିସ । ପୋଲିସ ପିଟିଆଇକୁ ଏହି ସୂଚନା ଦେଇଛି । ସେପଟେ ସୁତୀରେ ମଧ୍ୟ ହିଂସାବେଳେ ଜଣେ ନାବାଳକ ଗୁରୁତର ହୋଇଛି । ତାକୁ କୋଲକାତର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ମମତା କହିଛନ୍ତି, ଶାନ୍ତି ଏବଂ ସଂଯମ ରକ୍ଷା କରନ୍ତୁ । ଧର୍ମ ନାମରେ କୌଣସି ଅଧାର୍ମିକ ଆଚରଣ ନ କରିବାକୁ ସେ ନିବେଦନ କରିଛନ୍ତି । ପ୍ରତ୍ୟେକ ମଣିଷ ଜୀବନ ମୂଲ୍ୟବାନ, ରାଜନୀତି ପାଇଁ ଦଙ୍ଗା ଉସକାନ୍ତୁ ନାହିଁ। ଯେଉଁମାନେ ଦଙ୍ଗା କରୁଛନ୍ତି ସେମାନେ ସମାଜର କ୍ଷତି କରୁଛନ୍ତି । ଏହାରି ମଧ୍ୟରେ ମମତା ପୁଣି ସ୍ପଷ୍ଟ କରିଛନ୍ତି ଯେ ଏହି ଆଇନକୁ ସମର୍ଥନ କରାଯିବ ନାହିଁ । ଏହି ଆଇନ ରାଜ୍ୟରେ କାର୍ଯ୍ୟକାରୀ ହେବ ନାହିଁ ବୋଲି ସେ କହିଛନ୍ତି ।
ସେପଟେ ରାଜ୍ୟରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ସେଥିପାଇଁ ମମତା ସରକାରକୁ ଦାୟୀ କରିଛି ବିଜେପି । ଏହା ପ୍ରତିବାଦ ନୁହେଁ ବରଂ ଏହା ଏକ ଯୋଜନା ବଦ୍ଧ ହିଂସାକାଣ୍ଡ ବୋଲି କହିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରିବାକୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟ ସ୍ୱତନ୍ତ୍ର ଖଣ୍ଡପୀଠ ଆଜି ସନ୍ଧ୍ୟାରେ ଏହି ମାମଲାର ଶୁଣାଣି କରିବେ ।