ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ତେଜସ୍ ପାଇଲଟ୍ ୱିଙ୍ଗ କମାଣ୍ଡର ନମଂଶ ସାୟଲ। ଦୁବାଇ ଏୟାର ଶୋ’ ବେଳେ ତେଜସ୍ ଦୁର୍ଘଟଣାରେ ସହିଦ ହୋଇଥିଲେ ୱିଙ୍ଗ କମାଣ୍ଡର ନମଂଶ। ଆଜି ତାଙ୍କ ଜନ୍ମମାଟି ପଟିୟାଲକର ଗାଁରେ ପୂର୍ଣ୍ଣ ସାମରିକ ସମ୍ମାନ ସହିତ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ରବିବାର ତାଙ୍କ ପାର୍ଥୀବ ଶରୀର କୋଏମ୍ବଟୁର ସୁଲୁର ସ୍ଥିତ ବାୟୁ ସେନା ଏୟାରବେସକୁ ଅଣାଯାଇଥିଲା। ସେଠାରେ ବାୟୁସେନା ତରଫରୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା। ଖାଲି ସେତିକି ନୁହେଁ ସେଠାରେ ତାଙ୍କ ପତ୍ନୀ ଅଫଶାନ୍ ତାଙ୍କୁ ଲୁହ ଭିଜା ଆଖିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନମଂଶଙ୍କ ପତ୍ନୀ ଅଫଶାନ୍ ମଧ୍ୟ ବାୟୁସେନାରେ ପାଇଲଟ ଅଛନ୍ତି।ତାଙ୍କର ଏକ ସାତ ବର୍ଷ ଝିଅ ମଧ୍ୟ ଅଛି।
ୱିଙ୍ଗ କମାଣ୍ଡର ଅଫଶାନ୍ ତାଙ୍କ ସ୍ୱାମୀ ନମାଂଶଙ୍କୁ ସଲାମ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ସଲାମ କରିବା ପରେ ତୁରନ୍ତ କାନ୍ଦିବାକୁ ଲାଗିଲେ। ସେହି ସମୟରେ ଅଫଶାନ୍ ଏବଂ ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖି ଲୁହରେ ଓଦା ହୋଇଯାଇଥିଲା। ନମାଂଶଙ୍କ ପତ୍ନୀ, ଅଫଶାନ୍ ମଧ୍ୟ ଜଣେ ୱିଙ୍ଗ କମାଣ୍ଡର। ସେ ସାମରିକ ସେବା ଏବଂ ସହିଦ ହେବାର ଯନ୍ତ୍ରଣାକୁ ଗଭୀର ଭାବରେ ବୁଝନ୍ତି। କିନ୍ତୁ ଅନ୍ୟପଟେ, ସେ ଜଣେ ପତ୍ନୀ ମଧ୍ୟ, ଯାହାଙ୍କ ମୁହଁରେ ତାଙ୍କ ସ୍ୱାମୀଙ୍କୁ ହରାଇବାର ଯନ୍ତ୍ରଣା ସ୍ପଷ୍ଟ ଭାବରେ ପ୍ରତିଫଳିତ ହୁଏ। ଗୋଟିଏ ପଟେ, ତାଙ୍କ ସ୍ୱାମୀଙ୍କ ସହିଦ ପାଇଁ ଗର୍ବ, ଏବଂ ଅନ୍ୟପଟେ, ଏକ ଶୂନ୍ୟସ୍ଥାନ ଯାହା କେବେ ପୂରଣ ହେବ ନାହିଁ।
ଅଧିକ ପଢନ୍ତୁ: ମୁହଁରେ ହସ, ଆଖିରେ ଆଶା..ତେଜସ୍ ଉଡ଼ାଉଥିବା ୱିଙ୍ଗ କମାଣ୍ଡରଙ୍କ ଆସିଲା ଶେଷ ଭିଡ଼ିଓ, ମୃତ୍ୟୁ ପୂର୍ବରୁ ଉଠାଇଥିଲେ ଗ୍ରୁପ ଫୋଟୋ