ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ସ୍ୱଦେଶୀ ନ୍ୟାୟଶାସ୍ତ୍ରକୁ ଆପଣେଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଏହି ଦିଗରେ ସୁପ୍ରିମକୋର୍ଟ ଯାହା ପଦକ୍ଷେପ ନେଇଛନ୍ତି ତାହା ସ୍ୱାଭାବିକ କଥା । ୭୫ ବର୍ଷରେ ନ୍ୟାୟାଳୟ ଯେଉଁ ମଜବୁତ ଓ ନ୍ୟାୟ ନିର୍ଣ୍ଣୟର ସଂଗ୍ରହାଳୟ ପାଲଟିଛି, ଏବେ ସମୟ ଆସି ଯାଇଛି ସର୍ବୋଚ୍ଚ ନ୍ୟାୟାଳୟ ନିଜର ସ୍ୱଂୟ ନ୍ୟାୟିକ ବିଚାରଧାରାକୁ ଗଭୀର କରୁ ।
ବିଚାରପତି ସୂର୍ଯ୍ୟକାନ୍ତ ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ନ୍ୟାୟପାଳିକା ପାଇଁ ନିଜ ଉପରେ ନିର୍ଭର କରିବା କାହିଁକି ଆବଶ୍ୟକ । ସେ କହିଛନ୍ତି ସୁପ୍ରିମକୋର୍ଟ ହଜାର ସଂଖ୍ୟକ ଐତିହାସିକ ନିର୍ଣ୍ଣୟ ଦେବାର ୭୫ ବର୍ଷ ପରେ ଆମର ନିର୍ଣ୍ଣୟକୁ ଏବେ ଅନ୍ୟ ସ୍ଥାନରେ ଉଦାହରଣ ଭାବେ ଉପସ୍ଥାପନ କରାଯାଉଛି । ଆମେ ନିଜ ଦମରେ ନ୍ୟାୟିକ ଜ୍ଞାନର ଭଣ୍ଡାର ଅର୍ଜିତ କରିଛନ୍ତି । ଆମକୁ ନିଜ ଦେଶ ସମ୍ବନ୍ଧିତ କୌଣସି ବି ପ୍ରସଙ୍ଗରେ ରାୟ ଦେବା ସମୟରେ ଅନ୍ୟ ଦେଶର ନିର୍ଣ୍ଣୟ ଦେଖିବାର ଆବଶ୍ୟକତା ନାହିଁ ।
ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ କହିଛନ୍ତି, ଭୌଗୋଳିକ, ସ୍ଥାନୀୟ, ସାମାଜିକ ଓ ରାଜନୈତିକ ପରିଦୃଶ୍ୟ ପରି ମହତ୍ୱପୂର୍ଣ୍ଣ କାରକ ଅନ୍ୟ ଦେଶରେ ଭିନ୍ନ ଭିନ୍ନ ରହିଥାଏ । ଏଥିପାଇଁ ଭାରତକୁ ମଧ୍ୟ ନିଜର ସ୍ଥିତି ଅନୁରୂପ ନିଜସ୍ୱ ଜ୍ଞାନଶାସ୍ତ୍ରକୁ ବିକଶିତ କରିବାର ଆବଶ୍ୟକତା ରହିଛି । ସେ କହିଛନ୍ତି ସିଜେଆଇ ଭାବେ ତାଙ୍କର ତତ୍କାଳ ପ୍ରାଥମିକତା ହେଉଛି ଦୀର୍ଘ ସମୟ ଧରି ପଡି ରହିଥିବା ମାମଲାର ଶୁଣାଣି କରିବା । ତାଙ୍କର ସ୍ୱତନ୍ତ୍ର ପ୍ରାଥମିକତା ସାତ କିମ୍ବା ନଅ ଜଣିଆ ସାମ୍ବିଧାନିକ ପୀଠ ଗଠନ କରିବା । ଯଦ୍ୱାରା ଗୁରୁତ୍ୱପୂର୍ଣ୍ଣ ମାମଲାର ଶୀଘ୍ର ଶୁଣାଣି କରାଯାଇ ପାରିବ ।
Also read: ଟ୍ରମ୍ପ-ମାମଦାନୀ ସାକ୍ଷାତ ଉପରେ କ’ଣ ମନ୍ତବ୍ୟ ଦେଇଥିଲେ ଶଶି ଥରୁର?