୨୦୨୪ ରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । କେବଳ ଭାରତ ରେ ନୁହେଁ ଆହୁରି ୬୨ ଦେଶରେ ମଧ୍ୟ ହେବାକୁ ଯାଉଛି ନିର୍ବାଚନ । ଏସିଆଠାରୁ ଆରମ୍ଭ କରି ଆଫ୍ରିକା, ୟୁରୋପ, ଆମେରିକା ପର୍ଯ୍ୟନ୍ତ ସମସ୍ତ ମହାଦ୍ୱୀପରେ ହେବାକୁ ଯାଉଛି ନିର୍ବାଚନ । ସେଥି ପାଇଁ ଏହାକୁ ସୁପର ଇଲେକ୍ସନ ଇଅର ବୋଲି ମଧ୍ୟ କୁହାଯାଉଛି।
ସୂଚନା ଅନୁସାରେ, ଗଣତନ୍ତ୍ରର ଇତିହାସରେ ୨୦୨୪ ଦୁନିଆର ସବୁଠୁ ବଡ଼ ନିର୍ବାଚନୀ ବର୍ଷ ହେବାକୁ ଯାଉଛି । ଏହି ବର୍ଷ ପ୍ରାୟ ୪୦୦ କୋଟି ରୁ ଉର୍ଦ୍ଧ ଭୋଟର ସେମାନଙ୍କ ମତଦାନ କରିବେ ଯାହା ସମଗ୍ର ବିଶ୍ୱ ଜନ ସଂଖ୍ୟାର ୪୯ ପ୍ରତିଶତ ଅଟେ । ନିକଟରେ ବାଂଲାଦେଶରେ ନିର୍ବାଚନ ହୋଇସାରିଛି। ଆଗକୁ ଭାରତ, ପାକିସ୍ତାନ, ଆମେରିକା, ବ୍ରିଟେନ, ରୁଷ୍, ୟୁକ୍ରେନ୍, ତାଇଓ୍ବାନ, ଇରାନ, ଶ୍ରୀଲଙ୍କା, ମାଳଦ୍ୱୀପ ପ୍ରମୁଖ ଦେଶ ଗୁଡିକରେ ନିର୍ବାଚନ ହେବାକୁ ଯାଉଛି । ୟୁରୋପରେ ପର୍ତ୍ତୁଗାଲଠାରୁ ଆରମ୍ଭ କରି ବେଲାରୁଷ, ଫିନ୍ଲ୍ୟାଣ୍ଡ, ୟୁକ୍ରେନ୍, ସ୍ଲୋଭାକିଆ ଦେଶରେ ନିର୍ବାଚନ ହେବ। ବଡ଼ ଅର୍ଥନୈତିକ ଦେଶ ଆମେରିକା, ବ୍ରିଟେନ, ରୁଷ , ମେକ୍ସିକୋ, ଅଷ୍ଟ୍ରେଲିଆ ଆଦିରେ ନିର୍ବାଚନ ଫଳାଫଳର ମହତ୍ତ୍ଵ ବହୁତ ରହିବ। ନିର୍ବାଚନରେ ହାର୍-ଜିତ୍ ସହ ଜାତୀୟ ଏବଂ ଅନ୍ତର୍ଜାତୀୟ ସମୀକରଣ ବଦଳିବା ସହିତ ଭୂରାଜନୈତିକ ଉପରେ ମଧ୍ୟ ସବୁଠୁ ଅଧିକ ପ୍ରଭାବ ପକାଇବ । ଭାରତରେ ହେବାକୁ ଥିବା ନିର୍ବାଚନ ଉପରେ ସାରା ବିଶ୍ବର ନଜର ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟାଟ୍ରିକ ବିଜୟ ହାସଲ କରିପାରନ୍ତି ବୋଲି ବିଶେଷଜ୍ଞଙ୍କ ପୂର୍ବାନୁମାନ ରହିଛି। ବିଜେପିର ଏନ୍ଡିଏ ମେଣ୍ଟକୁ ଟକ୍କର ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ମିଶି ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ଯଦି ନିର୍ବାଚନରେ ଏନ୍ଡିଏ ପରାଜିତ ହୁଏ ତେବେ ସ୍ଥିତି ସମ୍ପୂର୍ଣ ଅଲଗା ହେବ। ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ ଉପରେ ବିଶେଷକରି ଚୀନ୍ ଏବଂ ଆମେରିକାର ର ନଜର ରହିଛି । ପାକିସ୍ତାନରେ ନୱଜ ସରିଫ୍ଙ୍କ ପାକିସ୍ତାନ ମୁସ୍ଲିମ ଲିଗ୍ ଏବଂ ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ମଧ୍ଯରେ କ୍ଷମତାର ଲଢ଼େଇ ହେବାର ସମ୍ଭାବନା ଅଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ପାଇଁ ଏଥର ମୁକାବିଲା ସଂଘର୍ଷପୂର୍ଣ୍ଣ ରହିବ । ଏମିତି ଅନେକ ଦେଶ ରହିଛି ଯେଉଁଠି ସରକାର ବଦଳିଲେ ପୁରା ଦୁନିଆରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏହି ମହାନିର୍ବାଚନ ଦୁନିଆକୁ କେତେ ବଦଳାଇବ ଏବଂ ସମୀକରଣ ବନିବ ବା ବିଗିଡ଼ିବ ତାହା ସମୟ କହିବ।
ଆଗକୁ ପଢନ୍ତୁ : ଆକାଶ- NG କ୍ଷେପଣାସ୍ତ୍ରର ସଫଳ ଉଡ଼ାଣ ପରୀକ୍ଷଣ