ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମଧ୍ୟପ୍ରଦେଶ କାନପୁର ଲାମ୍ବରଗିନି ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ତଥା ବଂଶୀଧର ତମାଖୁ ବ୍ୟବସାୟୀ କେକେ ମିଶ୍ରାଙ୍କ ପୁଅ ଶିବମ ମିଶ୍ରାକୁ ଜାମିନ ମିଳିଛି । ଗିରଫଦାରୀର ମାତ୍ର ୭ ଘଣ୍ଟା ମଧ୍ୟରେ ଶିବମକୁ ଏସିଏମ୍ଏମ୍ ଅଦାଲତ ଜାମିନ ପ୍ରଦାନ କରିଛନ୍ତି । ୨୦ ହଜାର ଟଙ୍କା ଏବଂ ଜାମିନଦାରଙ୍କ ବଦଳରେ ସେ ମୁକ୍ତ ହୋଇଛନ୍ତି ।
ଡିସିପି ଅତୁଲ ଶ୍ରୀବାସ୍ତବଙ୍କ ଅନୁସାରେ, ଆଜି ସକାଳ ୯ଟାରେ ଶିବମକୁ ପୋଲିସ ଗିରଫ କରିଥିଲା । ମାମଲା ରୁଜୁ ହେବା ପରେ ୫ଟି ପୋଲିସ୍ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ପୋଲିସ ଶିବମଙ୍କ ଘରେ ପହଁଚିଥିଲା, ମାତ୍ର କବାଟ ଖୋଲି ନ ଥିଲା । ଫଳରେ ପୋଲିସ ଫେରି ଆସିଥିଲା । ଆଜି ସକାଳେ ତାକୁ ଗିରଫ କରାଯାଇଥିଲା । ଦୁର୍ଘଟଣା ସମୟରେ ଶିବମ ନିଜେ ଗାଡ଼ି ଚଳାଉଥିଲେ ବୋଲି ପୋଲିସ ତଦନ୍ତରେ ସ୍ପଷ୍ଟ କରିଥିଲା । ପୋଲିସ ଶିବମକୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ନେବାକୁ କରିଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି ।
କାନପୁର ରୋଡରେ କେକେ ମିଶ୍ରାଙ୍କ ପୁଅ ଶିବମ ଏକ ଲାମ୍ବରଗିନି ଦୁର୍ଘଟଣା ଘଟାଇଥିଲା । ଏହି କାରର ମୂଲ୍ୟ ୧୨ କୋଟି ହେବ । ଏହି ଦୁର୍ଘଟଣାରେ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ । ପୋଲିସ କହିଛି ଯେ କାର୍ ନିଜେ ଶିବମ୍ ଚଲାଉଥିଲେ । ମାତ୍ର ପ୍ରତିପକ୍ଷ ଦାବି କରିଛନ୍ତି ଶିବମ୍ ନୁହେଁ ଡ୍ରାଇଭର୍ ମୋହନ ଲାଲ ଚଳାଉଥିଲା । କିନ୍ତୁ ଭିଡ଼ିଓରେ ଶିବମ୍ ଡ୍ରାଇଭର ସିଟରୁ ବାହାରୁଥିବା ଦେଖିବାକୁ ମିଳିଥିଲା । ଦୁର୍ଘଟଣା ପରେ କିଛି ଲୋକେ ନମ୍ବର ପ୍ଲେଟ୍ ହଟାଇବାକୁ ଚେଷ୍ଟା କରୁଥିଲେ ବୋଲି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି ।