ପୁରୀ: ଶ୍ରୀମନ୍ଦିର ପ୍ରଶାସନର ସବୁ କଟକଣାକୁ ଉଲ୍ଲଂଘନ କରି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଏବେ ବିବାଦ ଘେରକୁ ଆସିଛନ୍ତି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର । ମହାପ୍ରଭୁଙ୍କ ଦାରୁବ୍ରହ୍ମ ସେ ସ୍ଥାପନା କରିଥିବା ପ୍ରସଙ୍ଗକୁ ସେ ଖଣ୍ଡନ କରିଛନ୍ତି । ସେ ଦାରୁ ବ୍ରହ୍ମ ସ୍ଥାପନା କରି ନାହାଁନ୍ତି ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ଦୀଘା ଜଗନ୍ନାଥ ମନ୍ଦିରରେ ୪ ମାସ ପୂର୍ବରୁ ପଥର ମୂର୍ତ୍ତି ପୂଜା ପାଉଥିଲେ । ସେ ଏହାକୁ ବାରଣ କରିଥିଲେ । ନିମ୍ବ କାଠରେ ଦାରୁ ତିଆରି କରାଯାଇ ପୂଜା କରାଯାଏ । ସେଥିପାଇଁ ତିଥି ଅନୁସାରେ ପୂଜାର୍ଚ୍ଚନା କରିବାକୁ କହିଥିଲି । ଜଗନ୍ନାଥଙ୍କ ନିମ୍ବ ଦାରୁ ସେଠାରେ ପ୍ରତିଷ୍ଠା କଲୁ । ମୁଁ ନିଜେ ପୁରୀରୁ ନିମ୍ବ କାଠ ନେଇ ଯାଇଥିଲି । ବ୍ରହ୍ମର ଏକମାତ୍ର ସ୍ଥାନ ପୁରୀରେ ରହିଛି ବୋଲି ସେ କହିଛନ୍ତି । ବ୍ରହ୍ମ ସ୍ଥାପନ ନେଇ କୌଣସି ସ୍ଥାନରେ କହି ନାହାଁନ୍ତି ବୋଲି ସେ ଖଣ୍ଡନ କରିଛନ୍ତି । ବହ୍ମ କେବଳ ଜଗନ୍ନାଥ ଧାମରେ ଅଛି । ଜଗନ୍ନାଥଙ୍କ ରୀତି ନୀତି ଆଉ କୌଣସି ସ୍ଥାନରେ ହୋଇ ପାରିବ ନାହିଁ ବୋଲି କହିଛନ୍ତି ।
ସେହିପରି ସେ ଆଉ କୌଣସି କାମ କରି ନାହାଁନ୍ତି ବୋଲି କହିଛନ୍ତି । ଯେପରିକି ରୋଷେଇ, ପୁଷ୍ପାଳକ କାମ ଓ ହୋମ ଯଜ୍ଞ କରି ନାହାଁନ୍ତି । କେବଳ ଦାରୁ ପ୍ରତିଷ୍ଠା କରିଛନ୍ତି । ଏହାକୁ ଅତିରଞ୍ଜିତ କରାଯାଉଛି ବୋଲି କୁହାଯାଉଛି । ଏହା ସହିତ ସେ ଗଣମାଧ୍ୟମ ଉପରେ ମଧ୍ୟ ବର୍ଷିଛନ୍ତି । ଗଣମାଧ୍ୟମ ହିଁ ସମସ୍ତଙ୍କୁ ବିଚଳିତ କରୁଛନ୍ତି ବୋଲି ଦାସ ମହାପାତ୍ର କଡ଼ା ସ୍ୱରରେ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର । ସେଠାରେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ ନବକଳେବର ବେଳେ ଯେଉଁ ଦାରୁ ବ୍ରହ୍ମ ପ୍ରତିଷ୍ଠା ହୋଇଥାଏ ସେହି ଦାରୁ କାଠ କିଛି ଅଂଶ ବଳକା ରହିଥାଏ । ସେହି ଦାରୁ କାଠକୁ ନେଇକି ସେ ଯାଇଥିଲେ ଏବଂ ସେଠାରେ ପ୍ରତିଷ୍ଠା କରିଛନ୍ତି ବୋଲି ସେ କହିଥିଲେ । ଯାହାକୁ ନେଇ କୋଟି କୋଟି ଓଡ଼ିଆ ଜଗନ୍ନାଥ ଭକ୍ତ ମନରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଏହା ପୂର୍ବରୁ ସେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ଯେ କୌଣସି ପୁଷ୍ପାଳକ ଓ ରୋଷ ସେବକ ସେଠାକୁ ଯାଇ ପାରିବେ ନାହିଁ । ଯଦି କାର୍ଯ୍ୟରେ ଯୋଗ ଦିଅନ୍ତି ତେବେ ସେମାନଙ୍କୁ ଆଉ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ନାହିଁ ।