ନୂଆଦିଲ୍ଲୀ: ଗୁଜରାଟର ଏକ ରିୟଲ ଇଷ୍ଟେଟ ଓ ପ୍ରାଇଭେଟ୍ ରିସର୍ଟ ମ୍ୟାନେଜମେଣ୍ଟ କମ୍ପାନିକୁ ଝଟକା ଦେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ଯାଚିକା ଖାରଜ କରି କହିଛନ୍ତି ଯେ, କଣ ସୁପ୍ରିମକୋର୍ଟ ଧନୀଙ୍କ ପାଇଁ ରହିଛି ? ଜଷ୍ଟିସ ଦୀପାଙ୍କର ଦତ୍ତ ଓ ମନମୋହନ ମାମଲାର ଶୁଣାଣି ପାଇଁ ୨୦୨୫ ଅଗଷ୍ଟ ଲିଷ୍ଟ କରିଛନ୍ତି । ୱାଇଲଡଉଡ୍ସ ରିସୋର୍ଟ ଆଣ୍ଡ ରିୟଲଟଜି ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗି କେସ୍ ଲଢୁଛନ୍ତି ।
ଖଣ୍ଡପୀଠ କହିଛନ୍ତି, ଗୁଜରାଟ ହାଇକୋର୍ଟ ୨୦୨୪ ଡିସେମ୍ବରରେ ଏହି ମାମଲାରେ ନିଜର ନିଷ୍ପତ୍ତି ଶୁଣାଇଥିଲେ । ତେବେ କମ୍ପାନି ଗତ ମାସରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା । ଏହା ପରେ ବି କମ୍ପାନି ଜରୁରୀକାଳୀନ ଶୁଣାଣି କରିବାକୁ ଦାବି କରିଛି । ଜଷ୍ଟିସ ଦତ୍ତ କହିଛନ୍ତି, ଏହି ପ୍ରସଙ୍ଗ ସେତେ ଗୁରୁତ୍ୱ ନୁହେଁ ଯେତିକି ଏହାକୁ ଦେଖାଇବାକୁ ଚେଷ୍ଟା କରାଯାଉଛି । ଡିସେମ୍ବର ୧୧ରେ ହାଇକୋର୍ଟ ନିଷ୍ପତ୍ତି ଶୁଣାଇଥିଲେ । ସେହି ସମୟରେ ମଧ୍ୟ କୋର୍ଟ କାହିଁକି ମାମଲାର ଜରୁରୀ ଶୁଣାଣି କରାଯିବ ବୋଲି ପ୍ରଶ୍ନ କରିଥିଲେ । ସୁପ୍ରିମକୋର୍ଟରେ ଦାଖଲ ଯାଚିକାରେ ମଧ୍ୟ ଏହା ଦର୍ଶା ଯାଇନି ଯେ, କେଉଁ କାରଣରୁ ମାମଲାର ଜରୁରୀକାଳୀନ ଶୁଣାଣି କରାଯିବ । ସୁପ୍ରିମକୋର୍ଟ କହିଛନ୍ତି, ଲାଗୁଛି ଯେମିତି ସୁପ୍ରିମକୋର୍ଟ କେବଳ ଧନୀଙ୍କ ପାଇଁ ରହିଛି । ତେଣୁ ଆପଣଙ୍କ କେସ ୨୦୨୬ ଜାନୁଆରୀରେ ଲିଷ୍ଟ ହେବା ଦରକାର ।
ରୋହତଗି କହିଛନ୍ତି, ଜୁଲାଇରେ ମାମଲାର ଶୁଣାଣି କରାଯାଉ । କିନ୍ତୁ ସୁପ୍ରିମକୋର୍ଟ ଏହି ନିବେଦନକୁ ମଧ୍ୟ ଅସ୍ୱୀକାର କରିଛି । କିନ୍ତୁ କୋର୍ଟ ୨୦୨୫ ଅଗଷ୍ଟରେ ମାମଲାର ଶୁଣାଣି ପାଇଁ ଲିଷ୍ଟିଂ କରିଛନ୍ତି । ୱାଇଲଡଉଡ ନ୍ୟାସନାଲ ପାର୍କ ନିକଟରେ ଏକ ରିସର୍ଟ କରିବାକୁ ଚାହୁଁଛି । କିନ୍ତୁ ରାଜ୍ୟ ବନ୍ୟ ଜନ୍ତୁ ବୋର୍ଡ ଅନୁମତି ଦେବାକୁ ମନା କରି ଦେଇଥଲା । ଏହା ପରେ କମ୍ପାନି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ।