ନୂଆଦିଲ୍ଲୀ: ପାକିସ୍ତାନୀ ସୈନିକ ନିୟନ୍ତ୍ରଣ ରେଖା(ଏଲଓସି) ଓ ଅନ୍ତର୍ଜାତୀୟ ସୀମା(ଆଇବି) ଉପରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଜମ୍ମୁ-କାଶ୍ମୀରର ପାଞ୍ଚ ସୀମାବର୍ତ୍ତୀ ଜିଲ୍ଲାରେ ଗୁଳିମାଡ କରିଛି ପାକିସ୍ତାନ ସେନା । ଆଉ ଏହାର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ । ଅଧିକାରୀ ଶୁକ୍ରବାର ଏହାର ସୂଚନା ଦେଇଛି । ଅସ୍ତ୍ର ବିରତି ଉଲ୍ଲଂଘନ ସେହି ସମୟରେ ହୋଇଛି ଯେତେବେଳେ ପହଲଗାମ ହମଲାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି ।
ଏଲଓସି ଓ ଆଇବି ନିକଟସ୍ଥ ଗାଁର ବାସିନ୍ଦା ନିଜର ସୁରକ୍ଷା ପାଇଁ ବଙ୍କର ସଫା କରିବା ଆରମ୍ଭ କଲେଣ । ଯଦ୍ୱାରା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଲେ ଏହି ବଙ୍କରରେ ସେମାନେ ଶରଣ ନେଇ ପାରିବେ । ଜମ୍ମୁରେ ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି, ପାକିସ୍ତାନ ସୈନିକ ଜମ୍ମୁ-କାଶ୍ମୀରର କୁପୱାଡା, ବାରାମୂଲା, ପୁ’, ନୌଶେରା ଓ ଅଖନୁର ସୀମାରେ ଗୁଳି ମାଡ କରିଛି । ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଇଛନ୍ତି ।
ଖାସ୍ କରି ପହଲଗାମ ହମଲା ପରେ ପାକିସ୍ତାନ ବାରମ୍ବାର ସୀମାରେ ଗୁଳିମାଡ କରୁଛି । ପାକିସ୍ତାନ ସେନାର ଏମିତି ହୀନ କାର୍ଯ୍ୟରେ ସୀମା ସଂଲଗ୍ନ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ନିଜର ସୁରକ୍ଷା ପାଇଁ ବର୍ତ୍ତମାନ ସେମାନେ ବଙ୍କର ତିଆରିରେ ଜୁଟି ଯାଇଛନ୍ତି । ଏହା ସହ ପୂର୍ବରୁ ଥିବା ବଙ୍କରର ସଫା କରୁଛନ୍ତି । ଅନେକ ବଙ୍କରରେ ଶରଣ ନେଲେଣି ।
ପହଲଗାମ ହମଲା ପରେ ଭାରତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିଛି । ଆଉ ଭାରତ ସରକାରଙ୍କ ଏହି ନିଷ୍ପତ୍ତିର କିଛି ଘଣ୍ଟା ପରେ ପାକିସ୍ତାନ ପକ୍ଷରୁ ଏଲଓସିର ବିଭିନ୍ନ ସ୍ଥାନରେ ଗୁଳିମାଡ କରୁଛି । କେନ୍ଦ୍ର ସରକାର ୨୦୧୭ରେ ୧୪,୪୬୦ ବ୍ୟକ୍ତିଗତ ଓ ସାର୍ବଜନୀନ ବଙ୍କର ନିର୍ମାଣକୁ ମଞ୍ଜୁରୀ ଦେଇଥିଲା । ଅଧିକାରୀ କହିଛନ୍ତି, ସାମ୍ବା, କଠୁଆ, ପୁଞ୍ଝ ଓ ରାଜୌରୀ ଜିଲ୍ଲାରେ ୮,୬୦୦ରୁ ଅଧିକ ବଙ୍କର ନିର୍ମାଣ କରାଯାଇଛି ।