ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢା ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ରାଜ୍ୟସଭାରେ ଆଲୋଚନା କରିଛନ୍ତି । ଦେଶରେ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବାର ବୟସ ସୀମାକୁ ହ୍ରାସ କରିବାକୁ ସେ ସଂସଦରେ ଦାବି କରିଛନ୍ତି । ଉଭୟ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ବୟସ ସୀମା ୨୫ ରୁ ୨୧ ବର୍ଷକୁ ହ୍ରାସ କରିବାକୁ ସେ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ।
ଆପ୍ ସାଂସଦ ରାଘବ ଚଢା ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ଭାରତ ବିଶ୍ଵର ଯୁବଶକ୍ତି ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ । ଆମ ଦେଶର ମୋଟ ଜନସଂଖ୍ୟାର ୬୫ ପ୍ରତିଶତ ୩୫ ବର୍ଷରୁ କମ୍ ବୟସ୍କ ଅଟନ୍ତି । ମୋଟ ଜନ ସଂଖ୍ୟାର ଅଧା ହେଉଛନ୍ତି ୨୫ ବର୍ଷରୁ କମ ବୟସର । ସ୍ଵାଧୀନତା ପରେ ଯେତେବେଳେ ପ୍ରଥମ ଲୋକସଭା ନିର୍ବାଚିତ ହେଲା, ସେତେବେଳେ ଲୋକସଭାର ୨୬ ପ୍ରତିଶତ ସଦସ୍ୟ ୪୦ ବର୍ଷରୁ କମ୍ ଥିଲେ । ନିକଟରେ ୨ ମାସ ତଳେ ଶେଷ ହୋଇଥିବା ସପ୍ତଦଶ ଲୋକସଭା ନିର୍ବାଚନରେ ମାତ୍ର ୧୨% ସଦସ୍ୟ ୪୦ ବର୍ଷରୁ କମ୍ ବୟସ୍କ । ସେ ଆହୁରି ମଧ୍ୟ କହିଛନ୍ତି "ଆମ ଦେଶ ଯେତେ ଯେତେ ଯୁବକ ହେଉଛି, ସମାନ ଅନୁପାତରେ ନିର୍ବାଚିତ ପ୍ରତିନିଧୀମାନେ ଯୁବ ଅବସ୍ଥାରୁ ଦୂରେଇ ଯାଉଛନ୍ତି । ଆଜି ଆମ ଯୁବ ଦେଶ ବୃଦ୍ଧ ରାଜନେତାମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ଦେଶକୁ ଯୁବ ରାଜନେତାଙ୍କ ଆବଶ୍ୟକତା ରହିଛି।"
ସେ କହିଛନ୍ତି ଯେ ଆଜିକା ଦିନରେ ରାଜନୀତିକୁ ଦେଶରେ ଏକ ଖରାପ ବୃତ୍ତି ବୋଲି ବିବେଚନା କରାଯାଉଛି । ପିତାମାତା ଚାହାଁନ୍ତି ଯେ ତାଙ୍କ ପୁଅ ଜଣେ ଇଞ୍ଜିନିୟର, ଡାକ୍ତର ଏବଂ ବୈଜ୍ଞାନିକ, ଅଧିକାରୀ, କ୍ରୀଡ଼ାବିତ୍ ହୁଅନ୍ତୁ । କିନ୍ତୁ ସେମାନଙ୍କ ପିଲା ରାଜନେତା ହୁଅନ୍ତୁ କେହି ଚାହାଁନ୍ତି ନାହିଁ ।