ନୂଆଦିଲ୍ଲୀ: ଭାରତର ସଫଳତାରେ ମାଲେସିଆର ସଫଳତା ରହିଛି । ଏହା ଏସିଆର ମଧ୍ୟ ସଫଳତା । ଦୁଇ ଦେଶର ସମ୍ପର୍କକୁ ମାର୍ଗଦର୍ଶନ କରିବାର ଶବ୍ଦ ହେଉଛି ଇମ୍ପାକ୍ଟ (IMPACT), ଯାହାର ଅର୍ଥ ଇଣ୍ଡିଆ ମାଲେସିଆ ପାର୍ଟନରସିପ୍ ଫର୍ ଏଡ଼ଭାନ୍ସିଂ କଲେକ୍ଟିଭ୍ ଟ୍ରାନ୍ସଫର୍ମେସନ୍ । ମାଲେସିଆର ସ୍ୱାଗତକୁ ଭାରତ ମନେ ରଖିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିବସୀୟ ମାଲେସିଆ ଗସ୍ତରେ ଅଛନ୍ତି । ଶନିବାର କୁଆଲାଲମ୍ପୁରରେ ପହଁଚିବା ପରେ ମାଲେସିଆ ସରକାରଙ୍କ ପକ୍ଷରୁ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଖୋଦ ମାଲେସିୟା ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ମୋଦୀଙ୍କୁ ଆଲିଙ୍ଗନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ମୋଦୀ ଭାରତୀୟଙ୍କୁ ସମ୍ବୋଧନ କରି କହିଛନ୍ତି ଗତ ବର୍ଷ ଆୟୋଜିତ ଏସିଆନ୍ ସମ୍ମିଳନୀରେ ଯୋଗା ଦେବାକୁ ଆସି ପାରିନଥିଲି । କିନ୍ତୁ ମୋର ବନ୍ଧୁଙ୍କୁ କଥା ଦେଇଥିଲି ଯେ ଖୁବ ଶୀଘ୍ର ମାଲେସିଆ ଆସିବି । ୨୦୨୬ରେ ଏହା ପ୍ରଥମ ବିଦେଶ ଗସ୍ତ ବୋଲି ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ପ୍ରତି ମାଲେସିଆର ଭଲ ପାଇବା ଦେଖିଛି । ଏମିତି ସ୍ୱାଗତ ଭାରତ ମନେ ରଖିବ । ମାଲେସିଆରେ ଭାରତୀୟ ସଙ୍ଗୀତ ଏବଂ ସିନେମା ଲୋକପ୍ରିୟ ଅଟେ । ମାଲେସିଆର ୫୦୦ ସ୍କୁଲରେ ଭାରତୀୟ ଭାଷାରେ ପାଠ ପଢ଼ା ଯାଉଛି । ଦୁଇ ଦେଶର ସମ୍ପର୍କ ସୁଦୃଢ଼ ହେଉଛି। ସେହିପରି ମୋଦୀ ପ୍ରଧାନମନ୍ତ୍ରୀ ଇବ୍ରାହିମଙ୍କ ସଙ୍ଗୀତର ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବହୁତ ଭଲ ଗୀତ ଗାଆନ୍ତି । ଭାରତ ଗସ୍ତ ସମୟରେ ସେ ଯେତେବେଳେ ଏକ ପୁରୁଣା ହିନ୍ଦୀ ଗୀତ ଗାଇଥିଲେ ତାହା ବହୁତ ଭାଇରାଲ ହୋଇଥିଲା ।
ସେହିପରି ମୋଦୀ କହିଛନ୍ତି ଯେ ଆମେ ବିକାଶ ପାଇଁ ଦୁହେଁ ଦୁହିଁଙ୍କ ସାଥିରେ ଅଛୁ । ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ କୀ ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ମାଲେସିଆର ପ୍ରସଙ୍ଗ ଉଠାଇଥିଲି । ୧୪୦ କୋଟି ଭାରତୀୟଙ୍କୁ କହିଥିଲି ଯେ ମାଲେସିଆରେ ୫୦୦ ବିଦ୍ୟାଳୟରେ ଭାରତୀୟ ଭାଷା ପଢ଼ାଯାଉଛି । ଖାଲି ସେତିକି ନୁହେଁ ସ୍ୱାମୀ ବିବେକାନନ୍ଦଙ୍କୁ ମଧ୍ୟ ସେମାନେ ବହୁତ ସମ୍ମାନ କରନ୍ତି ।
ପ୍ରଧାନମନ୍ତ୍ରୀ ଭାରତ ଓ ମାଲେସିଆର ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି । ମୋଦୀ କହିଛନ୍ତି ଯେ ଭାରତର ସଫଳତାରେ ମାଲେସିଆର ସଫଳତା ରହିଛି । ଏହା ଏସିଆର ମଧ୍ୟ ସଫଳତା । ଦୁଇ ଦେଶର ସମ୍ପର୍କକୁ ମାର୍ଗଦର୍ଶନ କରିବାର ଶବ୍ଦ ହେଉଛି ଇମ୍ପାକ୍ଟ (IMPACT), ଯାହାର ଅର୍ଥ ଇଣ୍ଡିଆ ମାଲେସିଆ ପାର୍ଟନରସିପ୍ ଫର୍ ଏଡ଼ଭାନ୍ସିଂ କଲେକ୍ଟିଭ୍ ଟ୍ରାନ୍ସଫର୍ମେସନ୍ । ଅଧିକରୁ ଅଧିକ ମାତ୍ରାରେ ଭାରତ ଗସ୍ତ କରିବାକୁ ଆସନ୍ତୁ । ନିଜ ସହିତ ମାଲେସିଆର ବନ୍ଧୁଙ୍କୁ ମଧ୍ୟ ନେଇକି ଆସିବାକୁ ମୋଦୀ ଆହ୍ୱାନ କରିଛନ୍ତି । କାରଣ ଲୋକଙ୍କ ସହିତ ଲୋକଙ୍କ ସମ୍ପର୍କ ଦୁଇ ଦେଶର ସମ୍ପର୍କର ସ୍ତମ୍ଭ ଅଟେ । ଆମେ ଦୁଇ ଦେଶର ପରସ୍ପର ସହଯୋଗୀ । ଖୁବ ଶୀଘ୍ର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରପେସ୍ ବା ୟୁପିଆଇ ଜାରି ହେବ । ବୋଲି ମୋଦୀ ଘୋଷଣା କରିଛନ୍ତି ।