ନୂଆଦିଲ୍ଲୀ: ଭାରତୀୟ ସାମରିକ ଠିକଣା ଉପରକୁ ଆକ୍ରମଣ କରିବା ପ୍ରତି ଜବାବରେ ଭାରତ ପାକିସ୍ତାନକୁ ଭୟଙ୍କର ଜବାବ ଦେଇଛି । ମେ ୯ (ଶୁକ୍ରବାର) ସକାଳେ ଭାରତ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଟାର୍ଗେଟ୍ କରି ଜାଳି ପୋଡ଼ି ଛାରଖାର କରିଦେଇଛି । ଗୋଟିଏ ପରେ ଗୋଟିଏ ଆକ୍ରମଣ କରି ନିୟନ୍ତ୍ରଣ ରେଖା ନିକଟରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡକୁ ଧ୍ୱଂସ କରିଛି ଭାରତର ଲଢ଼ୁଆ ଯବାନମାନେ । ଯାହାର ଭିଡ଼ିଓ ସହିତ ପ୍ରମାଣ ଦେଖାଇଛି ଭାରତୀୟ ସେନା ।
ଅପରେସନ୍ ସିନ୍ଦୂର ଜରିଆରେ ଭାରତୀୟ ସେନା ୯ଟି ଆତଙ୍କବାଦୀ ଆଡ୍ଡାକୁ ଆକ୍ରମଣ କରିଥିଲା । ଏଥିରେ ପାକିସ୍ତାନ ଉତକ୍ଷିପ୍ତ ହୋଇ ୦୮ ଏବଂ ୦୯ ମଇ ୨୦୨୫ ରାତିରେ ଭାରତୀୟ ବାୟୁସେନା ଠିକଣାକୁ ଟାର୍ଗେଟ୍ କରି ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଥିଲା । ମାତ୍ର ବାୟୁ ପ୍ରତିରକ୍ଷା ସିଷ୍ଟମ୍ ଦ୍ୱାରା ତାହାକୁ ସମସ୍ତ ମିସାଇଲକୁ ଧ୍ୱଂସ କରାଯାଇଥିଲା । ମାତ୍ର ଏହାର ଦୃଢ଼ ଜବାବ ଦେଇଥିଲା ଭାରତ । ନିୟନ୍ତ୍ରଣ ରେଖା ନିକଟସ୍ଥ ଅଞ୍ଚଳରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍ ନଷ୍ଟ ମୋର୍ଟାର୍ ସାହାଯ୍ୟରେ ଧ୍ୱଂସ କରାଯାଇଛି । ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଅତୀତରେ ଭାରତୀୟ ନାଗରିକ ଏବଂ ସୁରକ୍ଷା ବାହିନୀ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣ ଯୋଜନା ଏବଂ କାର୍ଯ୍ୟକାରୀ କରିବାର କେନ୍ଦ୍ର ହୋଇଆସିଛି। ଭାରତୀୟ ସେନାର ଦ୍ରୁତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଆତଙ୍କବାଦୀ ଭିତ୍ତିଭୂମି ଏବଂ କ୍ଷମତାକୁ ଏକ ବଡ଼ ଆଘାତ ଦେଇଛି।
ଏହି କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ପକ୍ଷରୁ କୂଟନୈତିକ ବୟାନବାଜି ଏବଂ ମିଥ୍ୟା ଦାବି ଆସିଥିଲା, ଯେଉଁଥିରେ ସେମାନେ ଭାରତ ଉପରେ "ସାଧାରଣ ନାଗରିକଙ୍କୁ ଟାର୍ଗେଟ " କରାଯାଇଥିଲା ବୋଲି ଅଭିଯୋଗ କରିଥିଲା । କିନ୍ତୁ ଭାରତ ପକ୍ଷରୁ ବାରମ୍ବାର ସ୍ପଷ୍ଟ କରାଯାଇଛି ଯେ ଭାରତୀୟ ସେନା କେବଳ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ କାର୍ଯ୍ୟ କରୁଛି । କୌଣସି ନାଗରିକ କିମ୍ବା ଅଣ-ସାମରିକ ଘାଟିକୁ କ୍ଷତି ପହଞ୍ଚାଇ ନଥିଲା ବୋଲି ସେନା କହିଛି ।
ଅଧିକ ପଢ଼ନ୍ତୁ-ସାମାଜିକ ଗଣମାଧ୍ୟମରେ 'ପାକିସ୍ତାନ ଜିନ୍ଦାବାଦ' ଲେଖି ଜେଲ୍ ଗଲେ ଯୁବତୀ, ପୁଣେରେ ଉତ୍ତେଜନା