ନୂଆଦିଲ୍ଲୀ: ନେପାଳ ରସୁୱା ଜିଲ୍ଲାର ଭୋଟେକୋଶୀ ନଦୀରେ ଭୂସ୍ଖଳନ ଯୋଗୁଁ ଆସିଥିବା ଜଳ ପ୍ରଳୟରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ମୃତ୍ୟୁ ବିଭୀଷିକା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । ଗୁରୁବାର ସକାଳ ସୁଦ୍ଧା ୧୭୫ ଜଣଙ୍କ ମୃତ ଦେହ ଜବତ ହୋଇଥିବାବେଳେ ୭୫୦ ଲୋକେ ଏବେବି ନିଖୋଜ ଅଛନ୍ତି । ତେବେ ଭାରତ ପାଇଁ ଏହି ଜଳ ପ୍ରଳୟ ମଧ୍ୟ ଚିନ୍ତା ବଢ଼ାଇଛି । ଏଥିରେ ୩୦୦ ଭାରତୀୟ ପର୍ୟ୍ୟଟକ ନିଖୋଜ ଥିବା ଜଣାପଡ଼ିଛି । ପ୍ରାୟ ୨୮ଟି ଦେଶର ୪୭୬ ଜଣ ପର୍ୟ୍ୟଟକ ନିଖୋଜ ଅଛନ୍ତି । ଏହି ସଂଖ୍ୟା ଆହୁରି ବୃଦ୍ଧି ପାଉଛି ବୋଲି ଅନୁମାନ କରାଯାଉଛି ।
ପ୍ରାୟ ୨୫୦ ଲୋକଙ୍କ ଉଦ୍ଧାର କରାଯାଇଥିବା ବେସରକାରୀ ରିପୋର୍ଟରେ କୁହାଯାଉଥିବାବେଳେ ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖନାଲ ସ୍ପଷ୍ଟ କରିଛନ୍ତି ଯେ ୧୦୫ ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମାତ୍ର ୩୦୦ ଭାରତୀୟ ନାଗରିକ ଏବେବି ନିଖୋଜ ଅଛନ୍ତି ।
ସେପଟେ ଇଶା ଫାଉଣ୍ଡେସନର ୮୦ ଲୋକଙ୍କ କୌଣସି ଖୋଜ ଖବର ମିଳୁ ନାହିଁ । ସେଥିପାଇଁ ସଦଗୁରୁ ପ୍ରଶାସନକୁ ଗ୍ୟିରୋଙ୍ଗ ଯିବାକୁ ଅନୁମତି ଲୋଡ଼ିଛନ୍ତି । ନିଖୋଜ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ସହିତ ଗ୍ୟିରୋଙ୍ଗ ଯିବାକୁ ଅନୁମତି ମାଗିଛନ୍ତି ।