ଭାରତ ଆଗାମୀ ଲଢେଇ ସ୍ଵଦେଶୀ ଅସ୍ତ୍ର ଶସ୍ତ୍ରରେ ଲଢିବ ଓ ଜିତିବ: ସେନା ମୁଖ୍ୟ
Khabar Odisha:national-odisha-we-will-fight-and-win-the-next-war-with-indigenous-weapon-system-says-army-chief
ନୂଆଦିଲ୍ଲୀ,ଅକ୍ଟୋବର୧୫(ଖବର ଓଡ଼ିଶା):

ସେନା ପ୍ରମୁଖ ଜେନେରାଲ ବିପିନ ରାଓ୍ଵତ ମଙ୍ଗଳବାର ସଶସ୍ତ୍ର ବଳରେ ସ୍ଵଦେଶୀ ଜ୍ଞାନ କୌଶଳକୁ ପ୍ରୋତ୍ସାହନ ଦେବା ଉପରେ ଯୁକ୍ତି ବାଢିଛନ୍ତି। ଭାରତ ଆଗାମୀ ଯୁଦ୍ଧ ଭାରତରେ ବିକଶିତ ଅସ୍ତ୍ର ଶସ୍ତ୍ର ସହିତ ଲଢିବ ଏବଂ ବିଜୟ ପ୍ରାପ୍ତ କରିବ ବୋଲି ରାଓ୍ଵତ କହିଛନ୍ତି।  ସେ ଏହା  ମଧ୍ୟ କହିଛନ୍ତି ଯେ, ସ୍ଵାଧୀନତାର ୭୦ ବର୍ଷ ପରେ ମଧ୍ୟ ଭାରତ ଅସ୍ତ୍ର ଶସ୍ତ୍ର ଓ ଗୋଳା ବାରୁଦ ପାଇଁ ସବୁଠୁ ବଡ଼ ଆମଦାନୀକାରୀ ଦେଶ ହୋଇ ରହିବା ଠିକ୍ ନୁହଁ। ମାତ୍ର ଏବେ ସ୍ଥିତିରେ ପରିବର୍ତ୍ତନ ଘଟିଛି। ୪୧ତମ ଡିଆରଡିଓ ନିର୍ଦ୍ଦେଶକ ସମ୍ମିଳନୀକୁ ସମ୍ବୋଧିତ କରି ଜେନେରାଲ ରାଓ୍ଵତ କହିଛନ୍ତି ଯେ, ଅସ୍ତ୍ରଶସ୍ତ୍ର ଓ ଅନ୍ୟ ପ୍ରଣାଳୀର ବିକାଶ ଭବିଷ୍ୟତର ଯୁଦ୍ଧକୁ ଦୃଷ୍ଟିରେ ରଖି ହେବା ଉଚିତ୍।

ଜେନେରାଲ ରାଓ୍ଵତ ଭବିଷ୍ୟଷର ଯୁଦ୍ଧ କେଉଁଭଳି ଲଢାଯିବ, ତାର ରୂପରେଖା କେମିତି ରହିବ ତାରି ଉପରେ ଆଲୋକପାତ କରିଛନ୍ତି। ଆମକୁ ସାଇବର କ୍ଷେତ୍ର, ମହାକାଶ, ଲେଜର, ଇଲେକ୍ଟ୍ରୋନିକ ଯୁଦ୍ଧ ଓ ରୋବୋଟିକ୍ସର ବିକାଶ ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) କ୍ଷେତ୍ରରେ ଧ୍ୟାନ ଦେବାକୁ ପଡ଼ିବ। ଯଦି ଏହି ବିଷୟରେ ଏବେଠୁ ଚିନ୍ତା କରିବା ନାହିଁ ତେବେ ପରବର୍ତ୍ତୀ ସମୟରେ ବହୁତ ବିଳମ୍ବ ହୋଇଯିବ ବୋଲି ରାଓ୍ଵତ କହିଛନ୍ତି।

ସେନା ମୁଖ୍ୟ ସ୍ଵଦେଶୀ ପ୍ରତିରକ୍ଷା ବୈଷେୟିକ ଓ ଅସ୍ତ୍ର ଶସ୍ତ୍ରର ବିକାଶ ପାଇଁ ଡିଆରଡିଓର ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଗତ କିଛି ଦଶନ୍ଧିରେ ପ୍ରତିରକ୍ଷା ଅନୁସନ୍ଧାନ ଓ  ବିକାଶ ସଂଗଠନ(ଡିଆରଡିଓ) ଅନେକ ଉପଲବ୍ଧି ନିଜ ନାମରେ କରିଛନ୍ତି। ଭାରତ ଅନୁସନ୍ଧାନ ଓ ବିକାଶ କ୍ଷେତ୍ରରେ ନୂତନ କିର୍ତ୍ତୀମାନ ଗଢୁଥିବା ସେ କହିଛନ୍ତି। 

ଡିଆରଡିଓ ଭବନରେ ଆୟୋଜିତ ଦୁଇ ଦିନିଆ ଉଦଘାଟନ ଅଧିବେଶନରେ ପ୍ରତିରକ୍ଷା ରାଜନାଥ ସିଂହ ବିଶିଷ୍ଟ ଅତିଥି ଥିଲେ। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ବାୟୁସେନା ପ୍ରମୁଖ ଏୟାର ଚିଫ ମାର୍ଶାଲ ଆର.କେ.ଏସ. ଭଦୌରିଆ, ନୌସେନା ପ୍ରମୁଖ ଆଡମିରାଲ କରମବୀର ସିଂହ ଓ ଡିଆରଡିଓ ପ୍ରମୁଖ  ଜି. ସତିଶ ରେଡ୍ଡୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

Subscribe

National International State Sports Entertainment