ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ବଢିଲା ସାଂସଦଙ୍କ ଦରମା। ଏଣିକି ଲକ୍ଷେ ଟଙ୍କା ପରିବର୍ତ୍ତେ ୧ ଲକ୍ଷ ୨୪ ହଜାର ଟଙ୍କା ପାଇବେ ସାଂସଦ। ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଏହି ବିଜ୍ଞପ୍ତି ଆସନ୍ତା ଏପ୍ରିଲ ୧ରୁ ଲାଗୁ କରାଯିବ। ଉଭୟ ରାଜ୍ୟ ସଭା ଓ ଲୋକସଭାରେ ଏହା କାର୍ଯ୍ୟକାରୀ ହେବ। ଏଥିରେ ସାଂସଦଙ୍କ ମାସିକ ଦରମା, ଭତ୍ତା, ଡିଏ, ପେନସନ ଆଦି ଅର୍ନ୍ତଭୁକ୍ତ କରାଯାଇଛି।
ସାଂସଦଙ୍କ ପୂର୍ବ ଦରମା ମାସିକ ଲକ୍ଷେ ରହିଥିଲା, ତାହା ଏବେ ୧ ଲକ୍ଷ ୨୪ ହଜାରକୁ ବୃଦ୍ଧି କରାଯାଇଛି। ସେହିପରି ଦୈନିକ ଭତ୍ତା ୨ ହଜାର ଥିବା ବେଳେ ତାହା ଏବେ ୨୫୦୦କୁ ବୃଦ୍ଧି କରାଯାଇଛି। ପୂର୍ବତନ ସାଂସଦଙ୍କ ମାସିକ ଦରମା ୨୫ ହଜାର ରହିଥିଲା, ତାହା ଏବେ ୩୧ ହଜାରକୁ ବୃଦ୍ଧି କରାଯାଇଛି। ଖର୍ଚ୍ଚ ଏବଂ ମୂଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ସରକାର ବେତନକୁ ବୃଦ୍ଧି କରିଛନ୍ତି।
ପୂର୍ବରୁ ୨୦୧୮ରେ ସାଂସଦଙ୍କ ଦରମା ବୃଦ୍ଧି ହୋଇଥିଲା। ୨୦୧୮ରେ ଦରମା ୭୦ ହଜାରରୁ ଲକ୍ଷେକୁ ବୃଦ୍ଧି କରାଯାଇଥିଲା । ଏବେ ୨୦୨୫ରେ ପୁଣି ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାରକୁ ବୃଦ୍ଧି କରାଯାଇଛି। ନିକଟରେ କର୍ଣ୍ଣାଟକ ସରକାର ମୁଖ୍ୟମନ୍ତ୍ରୀ, ବିଧାୟକ, ମନ୍ତ୍ରୀମାନଙ୍କର ଦରମା ବୃଦ୍ଧି କରିଛନ୍ତି।
ଅଧିକ ପଢନ୍ତୁ: ୨ ଗୁଣା ବଢିଲା ବିଧାୟକଙ୍କ ଦରମା; ଏଡିଆର ରିପୋର୍ଟରେ ସିଦ୍ଧରମୈୟା ସରକାରଙ୍କ ୪ ବିଧାୟକ କୋଟିପତି
ସରକାରୀ କର୍ମଚାରୀ ମଧ୍ୟ ଦୀର୍ଘଦିନ ହେବ ଡିଏ ବୃଦ୍ଧି ପାଇଁ ଅପେକ୍ଷା କରି ରହିଛନ୍ତି। ଏବେ ସାଂସଦଙ୍କ ଦରମା ବୃଦ୍ଧି ହେବା ପରେ ଖୁବଶୀଘ୍ର କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ବି ଉପହାର ଦେଇପାରନ୍ତି। ଜାତୀୟ ଗଣମାଡଧ୍ୟମର ସୂତ୍ର ମୁତାବିକ, ଆସନ୍ତା ସପ୍ତାହରେ ସରକାର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନେଇପାରନ୍ତି। ଅନୁମୋଦନ ପାଇବା ପରେ ଜାନୁୟାରୀ ୨୫ରୁ ଡିଏ ଲାଗୁ ହେବ, ଯଦି ଏପ୍ରିଲ ମାସ ପାଇଁ ଦରମା ପାଆନ୍ତି ତେବେ ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚ ମାସର ବକେୟା ମଧ୍ୟ ପାଇବେ।