ପ୍ରୟାଗରାଜ: ବିଶ୍ୱର ସବୁଠାରୁ ବଡ଼ ଆଧ୍ୟାତ୍ମିକ ଆୟୋଜନ ମହାକୁମ୍ଭରେ ଆସ୍ଥା, ବିଶ୍ୱାସ ଏବଂ ଶ୍ରଦ୍ଧାର ସମାଗମ ଦେଖିବାକୁ ମିଳିଛି । କେବଳ ଭାରତ ନୁହେଁ ବରଂ ବିଶ୍ୱର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ମହାକୁମ୍ଭକୁ ନେଇ ଲୋକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳୁଛି । ତେବେ ମହାକୁମ୍ଭ ଛୋଟରୁ ବଡ଼ ସମସ୍ତ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ରୋଜଗାର ସ୍ଥଳ ପାଲଟିଛି । ଚଳିତ ମହାକୁମ୍ଭରେ ୩.୨୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ । ଏ ନେଇ କନଫେଡରେସନ୍ ଅଫ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଦାବି କରିଛି ।
ସିଏଆଇଟି ଅନୁସାରେ, ଫେବୃୟାରୀ ୨୬ରେ ଶେଷ ହେବାକୁ ଥିବା ପ୍ରୟାଗରାଜ ମହାକୁମ୍ଭ-୨୦୨୫ ମେଳାରେ ଶ୍ରଦ୍ଧାଳୁ ସଂଖ୍ୟା ୬୫ କୋଟିରୁ ଉର୍ଦ୍ଧ୍ୱ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଆର୍ଥିକ କାରବାର ୩.୨୫ ଲକ୍ଷ କୋଟି ଟଙ୍କା ପାର୍ କରିବ ବୋଲି ଆକଳନ କରାଯାଇଛି । ସିଏଆଇଟି ମହାସଚିବ ଏବଂ ସାଂସଦ ପ୍ରବୀଣ ଖଣ୍ଡେଲୱାଲଙ୍କ ମତରେ ମହାକୁମ୍ଭ ଆସ୍ଥା ଏବଂ ଅର୍ଥବ୍ୟବସ୍ଥାର ସଙ୍ଗମରେ ପରିଣତ ହୋଇଛି । କେବଳ ସେତିକି ନୁହେଁ ପ୍ରୟାଗରାଜର ଆଖାପାଖ ଅଞ୍ଚଳରେ ମଧ୍ୟ ଅର୍ଥ ବ୍ୟବସ୍ଥା ସୁଦୃଢ଼ ହୋଇଛି । ଆଯୋଧ୍ୟା, ବାରଣାସୀ, ବିନ୍ଧ୍ୟାଞ୍ଚଳ, ଚିତ୍ରକୁଟ ଏବଂ ମେହରେ ବହୁତ ପରିମାଣରେ ବ୍ୟବସାୟ ହୋଇଛି ।
ମହାକୁମ୍ଭ ପାଇଁ ପ୍ରୟାଗରାଜରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି । ସଡ଼କ, ଫ୍ଲାଇଓଭର୍, ଅଣ୍ଡରପାସ୍ ଏବଂ ପୋଲ ନିର୍ମାଣରେ ପ୍ରାୟ ୩୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ତେବେ ଖବର ଲେଖା ଯିବା ବେଳକୁ ମଙ୍ଗଳବାର ତ୍ରିବେଣୀ ସଙ୍ଗମରେ ୬୪ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ମହା ଶିବରାତ୍ରି ପାଇଁ ଶ୍ରଦ୍ଧାଳୁ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି ।