ଖବର ଓଡ଼ିଶା: ଅବକାରୀ ନୀତି ଘୋଟାଲାରେ ଛନ୍ଦି ହୋଇ ପଡ଼ିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ବିରୋଧରେ ସେ କୋର୍ଟରେ ଗୁହାରୀ କରିଛନ୍ତି । ଏହା ସହିତ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରାଯାଇଛି ।
ଅବକାରୀ ନୀତି ଘୋଟାଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସିବିଆଇ ଦ୍ୱାରା ଗିରଫଦାରୀ ଏବଂ ରିମାଣ୍ଡ ବିରୋଧରେ କୋର୍ଟରେ ଗୁହାରୀ କରିଛନ୍ତି । ଏହା ସହିତ ନିୟମିତ ଜାମିନ ପ୍ରଦାନ କରିବାକୁ ଆବେଦନରେ ଦର୍ଶାଇଛନ୍ତି । ପ୍ରଥମେ କେଜ୍ରିୱାଲଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ଦ୍ୱାରା ଗିରଫଦାରୀ ଏବଂ ରିମାଣ୍ଡ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ମାତ୍ର ହାଇକୋର୍ଟ ମାମଲାକୁ ଖାରଜ କରିବା ସହିତ ତଳ କୋର୍ଟରେ ଜାମିନ ଆବେଦନ କରିବାକୁ କହିଥିଲେ । ମାତ୍ର କେଜ୍ରିୱାଲ ସିଧାସଳଖ ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ କରିଥିବା ତାଙ୍କ ଓକିଲ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଅବକାରୀ ନୀତି ଘୋଟାଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଗତ ମାର୍ଚ୍ଚ ୨୧ରୁ ସେ ଇଡିର ନ୍ୟାୟିକ ହେପାଜତରେ ଥିଲେ । ଲୋକସଭା ନିର୍ବାଚନ ପ୍ରଚାର ପାଇଁ ତାଙ୍କୁ ୨୧ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା । ଏହା ପରେ ୨୬ ଜୁନରୁ ସେ ସିବିଆଇ ହେପାଜତରେ ଅଛନ୍ତି । ସେ ବର୍ତ୍ତମାନ ଦିଲ୍ଲୀର ତିହାଡ଼ ଜେଲରେ ଅଛନ୍ତି । ମାତ୍ର ଏହି ମାମଲାରେ ପୂର୍ବରୁ ଆପ୍ ର ସାଂସଦ ସଂଜୟ ସିଂଙ୍କୁ ଜାମିନ ମିଳିଥିବାବେଳେ ଅଗଷ୍ଟ ୯ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନରେ ଜେଲରୁ ମୁକୁଳିଛନ୍ତି ।