ବୁଧବାରଠାରୁ ସଂସଦର ବଜେଟ ଅଧିବେଶନ ହୋଇଥିବା ବେଳେ ଗୁରୁବାର ଦିନ ଆଗତ ହୋଇଛି କାମଚଳା ବଜେଟ। ଚଳିତ ବର୍ଷ ଏପ୍ରିଲ୍-ମେ ମାସରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ଏହି ବଜେଟ୍ ମଧ୍ୟବର୍ତ୍ତୀକାଳୀନ ଅଥବା କାମଚଳା ଅଟେ। ନିର୍ବାଚନ ପରେ ଜୁଲାଇରେ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ ହେବ। ଭାରତରେ ଆର୍ଥିକ ବର୍ଷ ଏପ୍ରିଲ ୧ ରୁ ଆରମ୍ଭ ହୋଇ ପରବର୍ତ୍ତୀ ବର୍ଷର ମାର୍ଚ୍ଚ ୩୧ରେ ଶେଷ ହେଉଥିବା ବେଳେ ଏହି ଅଧିବେଶନ ସାଧାରଣ ଲୋକଙ୍କ ଉପରେ ଉପରେ ସିଧାସଳଖ ପ୍ରଭାବ ପକାଇବ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ବିଜେପି ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତିମ ବାର୍ଷିକ ଆର୍ଥିକ ବିବରଣୀ ହେବ। ତେବେ ପୂର୍ବାହ୍ନ ୧୧ରୁ ସଂସଦରେ ଉପସ୍ଥାପିତ ହେଉଛି ଅନ୍ତରୀଣ ବଜେଟ ୨୦୨୪ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି । ଆଗକୁ ଦେଶରେ ଲୋକସଭା ନିର୍ବାଚନ ଥିବାରୁ ଏହି କାମଚଳା ବଜେଟ୍ ଆଗତ ହୋଇଛି। ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ।
ଏହି ପରିପ୍ରେକ୍ଷୀରେ ସଂସଦରେ ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ବଜେଟ୍କୁ ମଞ୍ଜୁରୀ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ। ସେଠାରେ ରାଷ୍ଟ୍ରପତି ନିଜ ହାତରେ ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଦହି-ଚିନି ଖୁଆଇଥିବା ଦେଖିବାକୁ ମିଳିଛି। ସୀତାରମଣ ରାଷ୍ଟ୍ରପତିଙ୍କ ହାତରୁ ଦହି ଖାଇ ବଜେଟ୍ ଉପସ୍ଥାପନ କରିବାକୁ ସଂସଦ ଅଭିମୁଖେ ବାହାରି ଯାଇଥିଲେ।ଏହାପରେ ବଜେଟ ଟାବଲେଟ ଧରି ସେ ସଂସଦରେ ପହଞ୍ଚିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବଜେଟକୁ ଅନୁମୋଦନ ଦିଆଯାଇଥିଲା । ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ୍ ୨୦୨୪ ପାଇଁ ନିଜର ବଜେଟ୍ ଭାଷଣ ପରେ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ବିକଶିତ ଭାରତ ନେଇଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବା ନେଇ ସମ୍ୟକ ସୂଚନା ଦେଇଛନ୍ତି।
ବଜେଟ ଅଭିଭାଷଣ ଆରମ୍ଭରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ମୋଦୀ ସରକାରଙ୍କ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ପରିକଳ୍ପନା ବିଷୟରେ କହିଥିଲେ। ଆହୁରି ମଧ୍ୟ ସେ କହିଛନ୍ତି ଯେ, ସାମ୍ପ୍ରତିକ ସମୟରେ ଭାରତୀୟ ଅର୍ଥନୀତିରେ ଅନେକ ପରିବର୍ତ୍ତନ ଆସିଛି। ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ଅନେକ ଚ୍ୟାଲେଞ୍ଜ ଥିଲା। ସେଥିପାଇଁ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଲୋକଙ୍କୁ ରୋଜଗାର ମିଳିବା ପାଇଁ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ କାର୍ଯ୍ୟକ୍ରମ ଓ ଯୋଜନା କରାଯାଇଥିଲା । ସମସ୍ତ ବର୍ଗ ଓ ଲୋକଙ୍କ ପାଇଁ ସମସ୍ତଙ୍କ ସାମଗ୍ରିକ ଅଭିବୃଦ୍ଧି ଓ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୪୭ ସୁଦ୍ଧା ଆମେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବୁ। ମହିଳା, ଯୁବ, ଗରିବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ଗୁରୁତ୍ୱ ଦେଉଛନ୍ତି ସରକାର । ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି । ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ଚାଷୀ ଲାଭବାନ ହେଉଛନ୍ତି ୧୧.୮ କୋଟି ଚାଷୀ। ଜାତୀୟ ଶିକ୍ଷା ନୀତି ଉପରେ ଗୁରୁତ୍ବ ଦିଆ ଯାଇଥିବା କଥା କହିଛନ୍ତି ସୀତାରମଣ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 3 କୋଟି ଘର ପ୍ରଦାନ କରାଯାଇଛି । ଆସନ୍ତା ୫ ବର୍ଷରେ PMAYରେ ୨ କୋଟି ବାସଗୃହ ପ୍ରଦାନ ଲକ୍ଷ୍ୟ ରହିଛି । ଏହି ଅବସରରେ ସେ କହିଥିଲେ ରିଫର୍ମ, ପର୍ଫର୍ମ ଓ ଟ୍ରାନ୍ସଫର୍ମକୁ ଆମ ସରକାର ଗୁରୁତ୍ୱ ଦେଇଛି।
ତେବେ ଅଭିଭାଷଣ ପରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ । ଦେଶର ଏକ କୋଟି ଲୋକଙ୍କୁ ପ୍ରତି ମାସରେ ମିଳିବ ୩୦୦ ୟୁନିଟ ମାଗଣା ବିଦ୍ୟୁତ ବୋଲି ଘାସନ କରି ରୁଫ ଟପ ସୋଲାରାଇଜେସନ୍ ଦ୍ବାରା ପ୍ରତି ମାସରେ ଏହାହିଁ ୩୦୦ ୟୁନିଟ ମାଗଣା ବିଦ୍ୟୁତ ଯୋଗାଣ ହେବ ବୋଲି କହିଥିଲେ ।
୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭାଇକାଲ କ୍ୟାନ୍ସର ଟିକା ଦିଆଯିବା କଥା ଘୋଷଣା କରା ଯାଇଛି।ମଧ୍ୟବିତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବାକୁ ଥିବା ବେଳେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟସେବା ସୁବିଧା ପାଇବେ ଆଶା ଓ ଅଙ୍ଗନବାଡ଼ି କର୍ମଚାରୀ । ସେହି ପରି ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବନେଇ ଘାସନ କରିଛନ୍ତି ।
ଉଡାନ୍ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ୍ ହେବ। ଏହି ନୂଆ ରୁଟ୍ରେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ। ଲାକ୍ଷାଦ୍ୱୀପକୁ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା କରାଯିବ।ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ' ସ୍ଲୋଗାନ ଦେଇ ଏହି ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ।
ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବା ସହ ୨୦୨୪ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୮% ଲକ୍ଷ୍ୟ ଥିବା କହିଛନ୍ତି ଅର୍ଥମନ୍ତ୍ରୀ । ତେବେ ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବା ସହ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବ। ବିତ୍ତୀୟ ନିଅଣ୍ଟକୁ ୪.୫%କୁ ହ୍ରାସ କରାଯିବା ଲକ୍ଷ୍ୟ ରଖିବା ବେଳେ କର୍ପୋରେଟ ଟିକସ ହାର ୩୦%ରୁ ୨୫%କୁ ହ୍ରାସ କରା ଯାଇଛି।
ବଜେଟ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଦେଶର ଭବିଷ୍ୟତ ନିର୍ମାଣର ବଜେଟ ପ୍ରସ୍ତୁତ ହୋଇଛି କହିଲେ ମୋଦି।‘ଯୁବକ, ମହିଳା, କୃଷକ ସମସ୍ତଙ୍କୁ ଏ ବଜେଟ ସଶକ୍ତ କରିବା ସହ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ମଜବୁତ କରିବ ଏହି ବଜେଟ ବୋଲି କହିଛନ୍ତି ମୋଦୀ। ଏହା ଯୁବ ଭାରତର ଆଶା ଆକାଂକ୍ଷାର ପ୍ରତିବିମ୍ବ ଯାହା ଭିତ୍ତିଭୂମି ବିକାଶ ପାଇଁ ୧୧ ଲକ୍ଷ ୧୧ ହଜାର ୧୧୧ କୋଟି ବ୍ୟବସ୍ଥା, ଆଧୁନିକ ଭିତ୍ତିଭୂମି ଯୁବକଙ୍କ ପାଇଁ ରୋଜଗାର ସମ୍ଭାବନା ଆଣିବ।
ଅଧିକ ପଢନ୍ତୁ : Paytmକୁ ନେଇ RBIର ବଡ ରାୟ