Paytm ପେମେଂଟକୁ ଲାଗିଛି ବଡ଼ ଝଟକା। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ଫେବୃଆରୀ ୨୯ ପରଠାରୁ ଏହି ବ୍ୟାଙ୍କ କୌଣସି ଗ୍ରାହକଙ୍କଠାରୁ ଜମା ସଂଗ୍ରହ କରିପାରିବ ନାହିଁ କିମ୍ବା ଋଣ କାରବାର ମଧ୍ୟ କରିପାରିବ ନାହିଁ। ପେଟିଏମ୍କୁ ସ୍ଥାପନ କରିଥିବା ସଂସ୍ଥା ୱାନ୍୯୭ କମ୍ୟୁନିକେସନ୍ସ ଲିମିଟେଡ୍ ଓ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡ୍ର ନୋଡାଲ୍ ଆକାଉଣ୍ଟକୁ ରିଜର୍ଭ ବ୍ୟାଙ୍କ ରଦ୍ଦ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ଜଣାଇଛନ୍ତି ଯେ ନିୟମକୁ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଠିକ୍ ଭାବେ ପାଳନ କରୁନଥିବା ସିଷ୍ଟମ ଅଡିଟ୍ ରିପୋର୍ଟ ଓ କମ୍ପାଇଲେସନ ରିପୋର୍ଟରୁ ଜଣାପଡ଼ିଛି। ଏଥି ସହ ନିୟମିତ ତ୍ରୁଟି ରହୁଥିଲା। ବାହ୍ୟ ସଂସ୍ଥା ଜରିଆରେ ବ୍ୟାଙ୍କ ବ୍ୟବସ୍ଥାର ବ୍ୟାପକ ଅଡିଟ୍ କରାଯିବା ପରେ ଏଭଳି ସମସ୍ୟା ସାମ୍ନାକୁ ଆସିଥିଲା। ସେଥିପାଇଁ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।
ତେବେ ଫାଇନାନ୍ସିଆଲ ସର୍ଭିସ ଯୋଗାଇ ଆସୁଥିବା ନାମୀ କମ୍ପାନୀ ପେଟିଏମ ପେମେଣ୍ଟସ ବ୍ୟାଙ୍କ୍ ଲିମିଟେଡ଼ (PPBL) ଉପରେ RBIର କଟକଣା ପରେ ଏବେ ଆଉ ପେଟିଏମ ପେମେଣ୍ଟସ ବ୍ୟାଙ୍କରେ ଡିପୋଜିଟ୍ କରିପାରିବେନି ଗ୍ରାହକ। ମୋବାଇଲ ରିଚାର୍ଜ, ୱାଲେଟ୍ ଟପ ଅପ୍ କିମ୍ବା ଫାଷ୍ଟ ଟ୍ୟାଗ୍ ମଧ୍ୟ ବ୍ୟବହାର କରିହେବ ନାହିଁ । ଏପରିକି PPBL ସହ କେଉଁ ନୂଆ ଗ୍ରାହକ ମଧ୍ୟ ଆଉ ଯୋଡି ହୋଇପାରିବେ ନାହିଁ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ଆରବିଆଇ।
ଏହି ନିୟମାବଳୀ ଆସନ୍ତା ୨୯ ତାରିଖ ପରଠାରୁ ଲାଗୁ ହେବ ବୋଲି ସୂଚନା ଦିଆଯାଇଛି । ନିର୍ଦ୍ଧାରିତ ତାରିଖ ପରେ ଗ୍ରାହକ ଆଉ ବ୍ୟାଙ୍କ ଖାତାରେ ଡିପୋଜିଟ୍, ୱାଲେଟ୍ ଡିପୋଜିଟ୍ କିମ୍ବା ଅନ୍ୟାନ୍ୟ ଟ୍ରାନଜାକ୍ସନ କରିପାରିବେ ନାହିଁ । ୨୯ ତାରିଖ ପରେ ଭାରତର କୌଣସି UPI ସହିତ ପେଟିଏମ ଦ୍ବାରା ଅର୍ଥ ନେଣଦେଣ କରାଯାଇପାରିବ ନାହିଁ । ହେଲେ ଗ୍ରାହକ ପେଟିଏମରେ ମହଜୁଦ ରଖିଥିବା ଟଙ୍କା ଉଠାଇବା ଉପରେ କୌଣସି କଟକଣା ଲଗାଯାଇନାହିଁ। ସେଭିଂସ, କରେଣ୍ଟ, ପ୍ରିପେଡ୍, ଫାଷ୍ଟଟ୍ୟାଗ୍ ଏବଂ ନ୍ୟାସନାଲ କମନ ମୋବିଲିଟି କାର୍ଡ (NCMC)ରୁ ନିର୍ଦ୍ବଦ୍ବ ଟଙ୍କା ଉଠାଇ ପାରିବେ ଗ୍ରାହକ । ଏଥିପାଇଁ ସେମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି RBI ସୂଚାଇ ଦେଇଛି ।
ଅଧିକ ପଢନ୍ତୁ : ଆଜି ହେଉଛି ଭାରତୀୟ କୋଷ୍ଟଗାର୍ଡ ଦିବସ