ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍ ଏଭିନ୍ୟୁ ଅଦାଲତ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ସାଂସଦ ସୋନିଆ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି । ଭାରତର ନାଗରିକତା ଗ୍ରହଣ କରିବା ପୂର୍ବରୁ ୧୯୮୦ରେ ସୋନିଆ ମତଦାତା ତାଲିକାରେ ସୋନିଆଙ୍କ ନାମ କେମିତି ଯୋଡ଼ାଗଲା ବୋଲି ପ୍ରଶ୍ନ କରିଛନ୍ତି ଅଦାଲତ ।
ସୋନିଆ ଭାରତୀୟ ନାଗରିକତା ଗ୍ରହଣ କରିବା ପୂର୍ବରୁ ମତଦାତାରେ ତାଙ୍କର ନାମ ଯୋଡ଼ାଯିବାକୁ ନେଇ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଛି । ଅଦାଲତ ଆବେଦନକୁ ଗ୍ରହଣ କରି ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରିଛନ୍ତି ।
ମାଜିଷ୍ଟ୍ରେଟ୍ କୋର୍ଟରେ ଗୋଟିଏ ଆବେଦନ ଖାରଜ ହେବା ଯାଚିକାକର୍ତ୍ତା ବିକାଶ ତ୍ରିପାଠୀ ଦିଲ୍ଲୀ ରାଉଜ୍ ଏଭିନ୍ୟୁ ଅଦାଲତଙ୍କ ନିକଟରେ ପୁଣି ଏକ ପିଟିସନ୍ ଦାଖଲ କରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ଏପ୍ରେଲ୍ ୩୦, ୧୯୮୩ରେ ସୋନିଆ ଗାନ୍ଧୀ ଭାରତୀୟ ନାଗରିକତା ଗ୍ରହଣ କରିଥିଲେ । କିନ୍ତୁ ଏହା ପୂର୍ବରୁ ୧୯୮୦ରେ ଦିଲ୍ଲୀ ବିଧାନସଭା କ୍ଷେତ୍ରରେ ମତଦାତା ତାଲିକାରେ ସୋନିଆଙ୍କ ନାମକୁ ସାମିଲ କରାଯାଇଥିଲା । ତେଣୁ ମତଦାତା ତାଲିକାରେ ନାମ ଯୋଡ଼ିବାକୁ ଫର୍ଜି ପ୍ରମାଣପତ୍ର ଦିଆଯାଇଛି ବୋଲି ଆବେଦନକାରୀ ଯାଚିକାରେ ଉଲ୍ଲେଖ କରିଛନ୍ତି ।
କିନ୍ତୁ ଅତିରିକ୍ତ ମୁଖ୍ୟ ନ୍ୟାୟଧୀଶ ମାଜିଷ୍ଟ୍ରେଟ୍ (ଏସିଏମ୍ଏମ୍) ବୈଭବ ଚୌରାସିଆ ସେପ୍ଟେମ୍ବର ୧୧ ତାରିଖରେ ଏହି ଆବେଦନକୁ ଖାରଜ କରିଥିଲେ । ଏସିଏମ୍ଏମ୍ କହିଥିଲେ ଯେ ମତଦାତା ତାଲିକା ସହିତ ଜଡ଼ିତ ମାମଲାର ଅଦାଲତଙ୍କ କ୍ଷମତାରେ ଆସୁନାହିଁ । ଏହାର ଶୁଣାଣି କରିବା ସମ୍ବିଧାନର ଅନୁଚ୍ଛେଦ ୩୨୯ରେ ଉଲ୍ଲଂଘନ ହେବ । ଏଭଳି ମାମଲା ସାମ୍ବିଧାନିକ ସଂସ୍ଥାର ଅଧିକାରର ଅନ୍ତର୍ଭୁକ୍ତ ।