ନୂଆଦିଲ୍ଲୀ: ପ୍ରସିଦ୍ଧ ପ୍ରବଚକ ଅନିରୁଦ୍ଧ ଆଚାର୍ଯ୍ୟଙ୍କ ଅଡ଼ୁଆ ବଢ଼ିଛି । ମହିଳାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ହୋଇଥିବା ଆବେଦନକୁ ମଥୁରା ଅଦାଲତ ଗ୍ରହଣ କରିଛନ୍ତି । ମାମଲାର ଶୁଣାଣି କରିବାକୁ ଅଦାଲତ ରାଜି ହୋଇଛନ୍ତି ।
ଅନିରୁଦ୍ଧ ଆଚାର୍ଯ୍ୟଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ସେ ମହିଳାଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିଲେ । ଭିଡ଼ିଓ ଭାଇରାଲ ହେବାମାତ୍ରେ ସାରା ଦେଶରେ ତାଙ୍କ ବିରୁଦ୍ଧରେ ହଙ୍ଗାମା ହୋଇଥିଲା । ଏହା ପରେ ସେ ସଫେଇ ଦେଇଥିଲେ ଯେ ସେ ମହିଳାଙ୍କ ସମ୍ମାନ କରନ୍ତି । କିନ୍ତୁ ତାଙ୍କ କଥାକୁ ଅନର୍ଥ କରି କୁହାଯାଇଛି ।
ଆଗ୍ରାର ଅଖିଳ ଭାରତ ହିନ୍ଦୁ ମହାସଭାର ଜିଲ୍ଲା ଅଧ୍ୟକ୍ଷା ମୀରା ରାଠୋର ଅନିରୁଦ୍ଧ ଆଚାର୍ଯ୍ୟଙ୍କ ବିରୁଦ୍ଧରେ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୀରା ରାଠୋର ସିଜେଏମ୍ ଉତ୍ସବ ଗୌରବଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି । ପ୍ରଥମ ଶୁଣାଣି ପରେ ସିଜେଏମ୍ ମାମଲା ରୁଜୁ କରିଛନ୍ତି ବୋଲି କହିଛନ୍ତି ଅଧିବକ୍ତା ମନୀଷ ଗୁପ୍ତା । ଆସନ୍ତା ଜାନୁୟାରୀ ୧ ତାରିଖରେ ଆବେଦନ ଉପରେ ଶୁଣାଣି ହେବ । ପ୍ରବଚକ ଅନିରୁଦ୍ଧ ଆଚାର୍ଯ୍ୟ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ ହେବେ ।