ନୂଆଦିଲ୍ଲୀ: ଏସ୍ଆଇଆର୍ ମାମଲାରେ ଜାଣିଶୁଣି ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗକୁ ନିଶାଣ କରାଯାଉଛି । ଇଲେକସନ୍ କମିଶନ ନୁହେଁ ୱାଟ୍ସଆପ୍ କମିଶନ ଜାଣିଶୁଣି ଲୋକଙ୍କ ନାମକୁ ମତଦାତା ସୂଚୀରୁ ହଟାଉଛନ୍ତି । ଆଜି ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖି ଏଭଳି ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅନ୍ୟପକ୍ଷେ ବିଏଲଓ ଏବଂ ମତାଦାତାଙ୍କ ଉପରେ ଚାପ ମାମଲା କେବଳ ପଶ୍ଚିମବଙ୍ଗରୁ ଆସୁଥିବାବେଳେ ଆସାମରୁ କାହିଁକି ଏପରି ଅଭିଯୋଗ ଆସୁନାହିଁ ବୋଲି ସୁପ୍ରିମକୋର୍ଟ ପାଲଟା ପ୍ରଶ୍ନ କରିଛନ୍ତି ।
ପଶ୍ଚିମବଙ୍ଗର ଏସ୍ଆଇଆର୍ ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲା ବାଗଚୀ ଏବଂ ବିଚାରପତି ବିପୁଲ ପାଞ୍ଚୋଲିଙ୍କ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ଏବଂ ଶ୍ୟାମ ଦିୱାନ ମାମଲା ଲଢ଼ୁଛନ୍ତି । ତଥାପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଉପସ୍ଥିତ ରହି ସୁପ୍ରିମକୋର୍ଟଙ୍କ ନିକଟରେ ପକ୍ଷ ରଖିଥିଲେ । ମମତା କହିଥିଲେ ଯେ ସେ ନ୍ୟାୟ ପାଇଁ ଅଦାଲତ ଆସିଛନ୍ତି । ନିର୍ବାଚନ ଆୟୋଗଙ୍କୁ ଅନେକ ତଥ୍ୟ ଦେଇଛନ୍ତି, କିନ୍ତୁ ତାଙ୍କୁ ଶୁଣାଯାଉ ନାହିଁ । ଠିକ୍ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗକୁ ଟାର୍ଗେଟ୍ କରାଯାଉଛି । ବଡ଼ ସଂଖ୍ୟାରେ ଲୋକଙ୍କ ନାମ ମତଦାତା ତାଲିକାରୁ ବାଦ୍ ଦିଆଯାଉଛି । ଏପରିକି ମମତା ନିର୍ବାଚନ ଆୟୋଗକଙ୍କୁ ୱାଟ୍ସଆପ୍ ଆୟୋଗ ବୋଲି କଟାକ୍ଷ କରିଥିଲେ । ୨୪ ବର୍ଷ ପରେ ଅଚାନକ ୪ ମାସ ପୂର୍ବରୁ ଏସବୁ କାର୍ଯ୍ୟାଯାଉଛି । ଫସଲ କଟା ଏବଂ ପୂଜା ସମୟରେ ଲୋକେ ବାହାରେ ଥିବା ସମୟରେ ନୋଟିସ୍ ଜାରି କରାଯାଇଛି । ଏହାରି ମଧ୍ୟରେ ପ୍ରଧାନ ବିଚାରପତି ଅଟକାଇ କହିଥିଲେ ଯେ ଯାହା ଆପଣ କହୁଛନ୍ତି ସେଥିରେ କିଛି ନୂତନ ତଥ୍ୟ ନାହିଁ । ଆପଣଙ୍କ ଓକିଲ ପୂର୍ବରୁ ଏସବୁ ଦାଖଲ କରିଛନ୍ତି ।
ବରିଷ୍ଠ ଅଧିବକ୍ତା ଶ୍ୟାମ ଦିୱାନ ଯୁକ୍ତି ବାଢ଼ିଥିଲେ ଯେ ଅନ୍ତିମ ମତଦାତା ସୂଚୀ ପ୍ରକାଶ ପାଇବାକୁ ଆଉ ମାତ୍ର ୧୧ ଦିନ ସମୟ ରହିଛି । ଫେବ୍ରୁଆରୀ ୧୪ ତାରିଖରେ ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବ । କିନ୍ତୁ ଏହି ମାମଲାର ଶୁଣାଣି ପାଇଁ ଆଉ ମାତ୍ର ୪ ଦିନର ସମୟ ରହିଛି । ରାଜ୍ୟରେ ପ୍ରାୟ ୩୨ ଲକ୍ଷ ଅନମ୍ୟାପ୍ଡ ଭୋଟର୍ସ ରହିଛନ୍ତି ଏବଂ ୩ କୋଟି ୨୬ ଲକ୍ଷ ଲଜିକାଲ୍ ଡିସ୍କ୍ରିପେନ୍ସି ତାର୍କିକ ଅସଙ୍ଗତି ମିଳିଛି । ଯାହାକି ସମ୍ପୂର୍ଣ୍ଣ ମତଦାତାର ୨୦ ପ୍ରତିଶତ ଅଟେ । ଲଜିକାଲ୍ ଡିସ୍କ୍ରିପେନ୍ସି ଥିବା ସମସ୍ତ ମତାଦାତାଙ୍କ ନାମ ସାର୍ବଜନୀନ କରିବାକୁ ଦାବି ଓକିଲ ଦିୱାନ ଦାବି କରିଛନ୍ତି । ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶରେ କେବଳ ଲୋକଙ୍କ ନାମ, ବୟସ ଏବଂ ଲିଙ୍ଗ ସାର୍ବଜନୀନ ହୋଇଛି । କିନ୍ତୁ କାହିଁକି ମତଦାତାଙ୍କ ନାମ ହଟାଯାଇଛି ତାହା ସ୍ପଷ୍ଟ କରାଯାଇନାହିଁ । ଲୋକଙ୍କୁ ଏହା ଜାଣିବାକୁ ଅଧିକାର ଅଛି ।
ସିଜେଆଇ ଜବାବରେ କହିଥିଲେ ଯେ ଏହା କୌଣସି ସାମାନ୍ୟ ତଥ୍ୟ ନୁହେଁ । ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କୁ ବ୍ୟକ୍ତିଗତଭାବେ ନୋଟିସ୍ ଜାରି କରାଯାଉଛି । ଯଦି ଚାଷ ଏବଂ ପର୍ବର ସମୟ ତେବେ ବହୁତ ଲୋକ ନିଜ ଘରୁ ବାହାରେ ଥିବେ । କିନ୍ତୁ ଯଦି ବଙ୍ଗାଲରେ ବିଏଲଓ ଏବଂ ମତଦାତାଙ୍କ ଉପରେ ଚାପ ଭଳି ମାମଲା ଆସୁଛି, ତେବେ ଆସାମ ଭଳି ରାଜ୍ୟରୁ କାହିଁକି ଏଭଳି ମାମଲା ସାମ୍ନାକୁ ଆସୁ ନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ।
ଏହି ମାମଲାରେ ପରବର୍ତ୍ତୀ ଶୁଣାଣିରେ ନିର୍ବାଚନ ଆୟୋଗ ଉପରେ ଉଠାଯାଇଥିବା ପ୍ରଶ୍ନ ଉତ୍ତର ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗ୍ରୁପ-ବି ଅଧିକାରୀଙ୍କ ତାଲିକା ଦାଖଲ କରିବାକୁ ପଶ୍ଚିମବଙ୍ଗକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୭ ତାରିଖ ସୋମବାରକୁ ହେବାକୁ ସ୍ଥିର କରାଯାଇଛି ।