ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ତିରୁପତିରୁ ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଘଟଣା ମୁତାବିକ ଜଣେ ନବବଧୂ ବିବାହ ଦିନ ବାହାଘର ସରିଲା ପରେ ଶାଶୁଘର ନ ଯାଇ ବଧୁ ବେଶରେ ସିଧା ମଣ୍ଡପରୁ ଯାଇ ପରୀକ୍ଷାକେନ୍ଦ୍ରରେ ପହଞ୍ଚିଛନ୍ତି ।ଭାଇରାଲ ହୋଇଥିବା ଏହି ମହିଳା ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶର ତିରୁପତି ବାସିନ୍ଦା ମମତା । ସମ୍ପୃକ୍ତ ଯୁବତୀଙ୍କର ବିବାହ ଦିନ ଗ୍ରୁପ୍ ୨ ମେନ୍ସ ପରୀକ୍ଷା ରହିଥିଲା । ତେବେ ମଣ୍ଡପ ଠାରୁ ପରୀକ୍ଷା କେନ୍ଦ୍ରର ଦୂରତା ଥିଲା ୨ଶହ କିଲୋମିଟର । ବାହାଘର ସରିବା ବେଳକୁ ସକାଳ ୬ଟା ହୋଇଯାଇଥିଲା । ଆଉ ତାଙ୍କ ପରୀକ୍ଷାର ସମୟ ଥିଲା ସକାଳ ୮ଟା ।
ଯୁବତୀ ଜଣକ ବାହାଘର ପରେ ସିଧା ମଣ୍ଡପରୁ ଉଠି ଶାଶୁଘର ଯିବା ପରିବର୍ତ୍ତେ ପରୀକ୍ଷା ଦେବାକୁ ତିରୁପତିର ପଦ୍ମାବତୀ ଡ୍ରିଗ୍ରୀ କଲେଜରେ ପହଞ୍ଚିଥିଲେ । କଲେଜରେ ଉପସ୍ଥିତ ଥିବା ପରୀକ୍ଷାର୍ଥୀ ଏବଂ ଅଧ୍ୟାପକ ତାଙ୍କୁ ବଧୂ ବେଶରେ ଆସିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ପ୍ରଥମେ ବିବାହ ବେଶଧାରୀ ମମତାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ କଲେଜ କର୍ତ୍ତୃପକ୍ଷ ବାରଣ କରିଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷ ପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ତାଙ୍କୁ ପରୀକ୍ଷା ଦେବାପାଇଁ ଅନୁମତି ଦିଆଯାଇଥିଲା । ତେବେ ବଧୁ ବେଶରେ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେବାର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।ଲୋକମାନେ ଶିକ୍ଷା ପ୍ରତି ତାଙ୍କ ନିଷ୍ଠା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କମେଣ୍ଟ କରି ପ୍ରଶଂସା କରିଛନ୍ତି ।