ଆଗ୍ରା: ବିଶ୍ୱ ବିଖ୍ୟାତ ଆଗ୍ରା ତାଜମହଲରେ ବୋମା ଆତଙ୍କ । ତାଜମହଲକୁ ବୋମା ଲଗାଇ ବିସ୍ଫୋରଣରେ ଉଡ଼ାଇ ଦେବାକୁ ପର୍ଯ୍ୟଟନ ବିଭାଗକୁ ମିଳିଛି ଧମକ । ଏହା ପରେ ଆରମ୍ଭ ହୋଇଯାଇଛି ସର୍ଚ୍ଚ ଅପରେସନ୍ । ସୁରକ୍ଷା ବାହିନୀ ପକ୍ଷରୁ ସନ୍ଧାନୀ କୁକୁର ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଖୋଳତାଡ଼ କରାଯାଉଛି ।
ମଙ୍ଗଳବାର ସକାଳ ୭ଟା ୫୩ ମିନିଟରେ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗକୁ ଏକ ମେଲ ଆସିଥିଲା । ଯେଉଁଥିରେ ତାଜମହଲକୁ ବୋମା ଲଗାଇ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା । ପୂର୍ବାହ୍ନ ୧୧ଟାରେ କାର୍ଯ୍ୟାଳୟ ଖୋଲିବା ପରେ ଏହା ଜଣାପଡ଼ିଥିଲା । ଏ ନେଇ ସୂଚନା ଦେଇଛନ୍ତି ତାଜ ସୁରକ୍ଷାର ଏସସିପି ସୈୟଦ୍ ଅରୀବ ଅହମ୍ମଦ । ଏହା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ତାଜମହଲର ଗେଟ୍ ଏବଂ ତାର ଆଖପାଖ ଅଞ୍ଚଳରେ ଖୋଳତାଡ଼ କରୁଛି । କିନ୍ତୁ ଯାଞ୍ଚ ସମୟରେ କୌଣସି ସନ୍ଦିଗ୍ଧ ଜିନିଷ ମିଳି ନ ଥିବା ଜଣାପଡ଼ିଛି । କିନ୍ତୁ ଏହି ଧମକ ପରେ ତାଜମହଲରେ ସୁରକ୍ଷାବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।