ମୁମ୍ବାଇ: ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ବୁଧବାର ମହାୟୁତି ବୈଠକରେ ଦେବେନ୍ଦ୍ର ଫଡନାଭିସ୍ଙ୍କ ନାମକୁ ଅନୁମୋଦନ ମିଳିଛି। ଫଡନାଭିସଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। ମହାୟୁତି ବୈଠକରେ ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ମହାରାଷ୍ଟ୍ରଉପମୁଖ୍ୟମନ୍ତ୍ରୀ କରିବାକୁ ରାଜି ହୋଇଛନ୍ତି।
ଏହି ନିଷ୍ପତ୍ତି ପରେ ଦେବେନ୍ଦ୍ର ଫଡନାଭିସ୍ ସମର୍ଥକମାନେ ଏବେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟି ବିଧାୟକଙ୍କ ନାମ ନେଇ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ଅପରାହ୍ନ ସାଢ଼େ ୩ଟାରେ ମହାୟୁତି ନେତାମାନେ ରାଜଭବନ ଯିବେ। ଡିସେମ୍ବର ୫ରେ ମହାରାଷ୍ଟ୍ରର ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ।
ବିଧାନସଭା ନିର୍ବାଚନରେ ବିଜେପିକୁ ଯେଉଁଭଳି ଆସନ ମିଳିଛି, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ ବୋଲି ବିଶ୍ୱାସ କରାଯାଉଥିଲା। ଦେବେନ୍ଦ୍ର ଫଡନାଭିସ ନାଗପୁର ଦକ୍ଷିଣ ପଶ୍ଚିମ ଆସନରୁ ନିର୍ବାଚିତ ହୋଇଛନ୍ତି। ଅତୀତରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଅଛନ୍ତି। ଏକନାଥ ସିନ୍ଦେ ସରକାରରେ ଡେପୁଟି ସିଏମ ଦାୟିତ୍ୱ ତୁଲାଇଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ୨୦୧୯ରେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା କିନ୍ତୁ ଦୁଇ ଦିନ ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା।
ଅଧିକ ପଢ଼ନ୍ତୁ: ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ହେବ ନାମ ଘୋଷଣା!