ଅମୃତସର: ପଞ୍ଜାବର ଅମୃତସରସ୍ଥିତ ପ୍ରସିଦ୍ଧ ସ୍ୱର୍ଣ୍ଣମନ୍ଦିର ସମ୍ମୁଖରେ ଗୁଳିକାଣ୍ଡ ହୋଇଛି । ଶିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳି ମାଡ଼ କରାଯାଇଛି । ମନ୍ଦିର ସମ୍ମୁଖରେ ସୁରକ୍ଷାକର୍ମୀଭାବେ ସେବା କରୁଥିବାବେଳେ ତାଙ୍କୁ ଗୁଳିମାଡ଼ କରାଯାଇଛି । ମାତ୍ର ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଛନ୍ତି ସୁଖବୀର ସିଂ ବାଦଲ । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି । ଆକ୍ରମଣକାରୀକୁ ପୁଲିସ କାବୁ କରିଛି । ସେ ହେଲେ ନାରାୟଣ ସିଂହ । ତାଙ୍କ ନିକଟରୁ ବନ୍ଧୁକ ଜବତ କରାଯାଇଛି ।
ବୁଧବାର ସକାଳେ ଶିରୋମଣୀ ଅକାଳୀ ଦଳ ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ ସ୍ୱର୍ଣ୍ଣ ମନ୍ଦିର ସମ୍ମୁଖରେ ସେବା କରୁଥିଲେ । ଏହି ସମୟରେ ନାରାୟଣ ସିଂହ ଆସି ତାଙ୍କ ଉପରକୁ ହଠାତ୍ ଗୁଳି ମାଡ଼ କରିବାକୁ ଚେଷ୍ଟା କରିଥିଲା । ମାତ୍ର ସେଠାରେ ଉପସ୍ଥିତ ତାଙ୍କର ଅନ୍ୟ ଅଙ୍ଗରକ୍ଷୀମାନେ ତାଙ୍କୁ କାବୁ କରି ନେଇଥିଲେ । ଫଳରେ ସୁଖବୀର ଗୁଳି ମାଡ଼ରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଏହା ପରେ ସୁଖବୀରଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।
ସ୍ୱର୍ଣ୍ଣମନ୍ଦିର ପୁଲିସ ଅଭିଯୁକ୍ତ ନାରାଣୟ ସିଂହକୁ ଅଟକ ରଖିଛି । ସେ ବବ୍ବର ଖାଲସା ଇଣ୍ଟରନ୍ୟାସନାଲର ପୂର୍ବତନ ସଦସ୍ୟ ବୋଲି ଜଣାପଡ଼ିଛି । 1984ରେ ସେ ପାକିସ୍ତାନ ଯାଇଥିଲା । ସେଠାରେ ସେ ପଞ୍ଜାବକୁ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ କରୁଥିଲା ।
କାହିଁକି ଦଣ୍ଡ ଭୋଗୁଛନ୍ତି ସୁଖବୀର ସିଂ ବାଦଲ ?
ସୁଖବୀରଙ୍କୁ ଦଣ୍ତ ଦିଆଯାଇଛି । ଦଣ୍ଡ ସ୍ୱରୁପ ସେ ସ୍ୱର୍ଣ୍ଣମନ୍ଦିରରେ ପ୍ରହରା ଦେବେ । ଏହା ପୂର୍ବରୁ ସେ ବାସନ ମଧ୍ୟ ମାଜିଥିଲେ । ତାଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ହ୍ୱିଲ୍ ଚେୟାରରେ ମନ୍ଦିରକୁ ଆଜି ଆସିଥିଲେ । ତାଙ୍କ ଗଳାରେ ଦୋଷୀ ବୋଲି ଏକ ବୋର୍ଡ ପିନ୍ଧାଯାଇଛି । ଶିଖ ସମାଜର ସୁପ୍ରିମ ଅଦାଲତ ତଥା ଅକାଳୀର ସାହେବ ତାଙ୍କୁ ଧାର୍ମିକ ଦଣ୍ଡ ଦେଇଛନ୍ତି । ସେ ଗୁରୁଦ୍ୱାରରେ ସେବା କରିବେ । ବାସନ ଧୋଇବା, ପ୍ରହରା ଦେବା ଏବଂ ଶୌଚାଳୟ ସଫା କରିବା ଇତ୍ୟାଦି ସଜା ଦିଆଯାଇଛି । 2007ରୁ 2017 ପର୍ଯ୍ୟନ୍ତ ଅକାଳୀ ଦଳ ସରକାର ଥିବାବେଳେ ସେ ଧାର୍ମିକ ସ୍ତରରେ ଭୁଲ କରିଛନ୍ତି । ଡେରା ସଚ୍ଚା ସୌଦାର ମୁଧ୍ୟ ରାମ ରହିମଙ୍କୁ କ୍ଷମା କରିବାରେ ସେ ସହଯୋଗ କରିଥିଲେ । ରାମ ରହିମଙ୍କ ବିରୋଧରେ ଥିବା ଅଭିଯୋଗକୁ ଫେରସ୍ତ ନେବାକୁ ସେ ନିଜର କ୍ଷମତାର ପ୍ରଯୋଗ କରିଛନ୍ତି । ସେଥିପାଇଁ ତାଙ୍କୁ ଧାର୍ମିକ ଦଣ୍ଡରେ ଦଣ୍ଡିତ କରାଯାଇଛି ।