ନୂଆଦିଲ୍ଲୀ: କ୍ରୀଡ଼ା ଜଗତର ୨ ଲୋକପ୍ରିୟ ତଥା ଚର୍ଚ୍ଚିତ ଚେହେରା ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ ଓ ହରଭଜନ ସିଂ । ଦୁହେଁ ଗୋଟିଏ ଦଳ ପାଇଁ ଅନେକ ମ୍ୟାଚ ଖେଳିଛନ୍ତି । ହେଲେ ଦୀର୍ଘ ୧୦ ବର୍ଷ ହେଲା ପରସ୍ପର କେହି କାହାରି ସହ କଥା ହେଉନାହାନ୍ତି । ଏକଥା ନିଜେ ହରଭଜନ ସିଂ ଏକ ସାକ୍ଷାତକାରରେ କହିଛନ୍ତି । ହରଭଜନଙ୍କ ଏହି ବୟାନ୍ ଏବେ କ୍ରୀଡ଼ା ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଉଭୟେ ହରଭଜନ ଓ ଧୋନୀ ୨୦୦୭ ମସିହାରେ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ମସିହାରେ ଦିନିକିଆ ବିଶ୍ୱକପ୍ ଏକାଠି ଜିତିଛନ୍ତି । ଭାରତୀୟ ଦଳର ଅପ୍ ସ୍ପିନର ହରଭଜନ ସିଂ ଲମ୍ବା ସମୟ ଧରି ଧୋନୀଙ୍କ କ୍ୟାପଟେନସିପ୍ରେ ଏକାଧିକ ମ୍ୟାଚ୍ ଖେଳିଛନ୍ତି । ନିଜ କ୍ୟାରିୟର ମଧ୍ୟରେ ୧୦୩ଟି ଟେଷ୍ଟମ୍ୟାଚ୍ ଖେଳିଛନ୍ତି ଏହି ଅଭିଜ୍ଞ ଖେଳାଳି । ହେଲେ ଉଭୟଙ୍କ ମଧ୍ୟରେ ହଠାତ୍ ଏମିତି କଣ ଘଟିଲା, ଯେଉଁ କାରଣରୁ ଦୁହେଁ ପରସ୍ପର ସହ ଦୀର୍ଘ ୧୦ ବର୍ଷ ହେଲା ଆଉ କଥାବାର୍ତ୍ତା ହେଉନାହାନ୍ତି ।
ନିକଟରେ ଏକ ସାକ୍ଷାତକାରରେ ଏହାର ଖୁଲାସା କରିଛନ୍ତି ନିଜେ ହରଭଜନ ସିଂ । ସେ କହିଛନ୍ତି “ମୁଁ ଧୋନୀଙ୍କ ସହ କଥାହୁଏନି । ମୁଁ ଚେହ୍ନାଇ ସୁପର କିଙ୍ଗସ୍ ଖେଳିବା ସମୟରେ ତାଙ୍କ ସହ କେବଳ ମ୍ୟାଚ ସମ୍ପର୍କରେ ପଡ଼ିଆରେ ଯାହା କଥା ହୋଇଥିଲି, ହେଲେ ଏହା ପରେ ଆମେ କେବେ କଥା ହେଉନାହୁଁ । ଏପରିକି ମ୍ୟାଚ ପରେ ରୁମକୁ ଆସିଲେ ଆମେ କେହି କାହାରି ସହ ବିଶେଷ କଥା ହେଉନାହୁଁ । ହରଭଜନ ଆହୁରି ମଧ୍ୟ କହିଛନ୍ତି, ତାଙ୍କୁ ନେଇ ମୋ ମନରେ ସେମିତି କିଛି ନାହିଁ” । ତାଙ୍କର ଏହି ବୟାନ୍ ଦର୍ଶାଉଛି ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ: ଫଡନାବିସ୍ଙ୍କ ନାଁରେ ବାଜିଲା ମୋହର, ସର୍ବକନିଷ୍ଠ ମେୟରରୁ ମୁଖ୍ୟମନ୍ତ୍ରୀ: କିପରି ଥିଲା ରାଜନୈତିକ ଯାତ୍ରା