ନୂଆଦିଲ୍ଲୀ: ହରିୟାଣାରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ସରକାର ଗଢ଼ିବା ଏକ ପ୍ରକାର ସୁନିଶ୍ଚିତ ହୋଇ ସାରିଛି । ନିର୍ବାଚନ ଫଳାଫଳ ଟ୍ରେଣ୍ଡିଂକୁ ଦେଖିଲେ ବିଜେପି ପୂର୍ଣ୍ଣ ବହୁମତ ସହିତ ବିଜୟ ହାସଲ ସରକାରକୁ ଆସିବ । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ଲାଡବା ଆସନରୁ ବିଜୟୀ ହୋଇଛନ୍ତି । ନିର୍ବାଚନର ସଫଳତା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନାୟବ ସୈନୀଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସମସ୍ତ ଜନତାଙ୍କୁ ଧନ୍ୟବାଦ ଜଣାଇବା ସହିତ ପ୍ରଧାନ ମନ୍ତ୍ରୀଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି ।
ଅନ୍ୟପକ୍ଷରେ ଗଣତିର ଆରମ୍ଭରୁ ଫଳାଫଳକୁ ଦେଖ୍ ଖୁସିରେ ବିଭୋର ହୋଇ ମିଠା ବାଣ୍ଟିଥିବା କଂଗ୍ରେସକୁ ଏକ ଶକ୍ତ ଝଟକା ଲାଗିଛି । ୧୦ ବର୍ଷ ପରେ ସରକାରକୁ ଆସିବା ପାଇଁ ଦଳ ଦେଖିଥିବା ସ୍ୱପ୍ନ ଅଧାରେ ଭାଙ୍ଗି ଯାଇଛି । ଖବର ଲେଖା ହେବା ବେଳକୁ ହରିୟାଣାର ୯୦ଟି ଆସନରୁ ବିଜେପି ୪୦ଟି ବିଜୟ ହାସଲ କରିଥିବାବେଳେ ଅନ୍ୟ ୯ଟିରେ ଆଗୁଆ ରହିଥିଲା । ସେହିପରି କଂଗ୍ରେସ ୩୪ ଆସନରେ ବିଜୟ ହାସଲ କରିଥିବାବେଳେ ୨ଟିରେ ଆଗରେ ରହିଥିଲା ।
ନିର୍ବାଚନୀ ସଫଳତା ପରେ ମୁଖ୍ୟମନ୍ତ୍ରୀ ସୈନୀ କହିଛନ୍ତି, ହରିୟାଣାର ୨ କୋଟି ୮୦ ଲକ୍ଷ ଜନତାଙ୍କୁ ମୁଁ ହୃଦୟରୁ ପ୍ରଣାମ କରୁଛି, ହୃଦୟରୁ ଧନ୍ୟବାଦ ଜଣାଉଛି କାରଣ ହରିୟାଣାର କିସାନ, ଗରିବ, ମହିଳାମାନେ, ଯୁବ ବର୍ଗମାନେ ବିଜେପିର କାର୍ଯ୍ୟ ଉପରେ ତୃତୀୟ ଥର ମୋହର ମାରିଛନ୍ତି । ମୁଁ ହରିୟାଣା ଜନତାଙ୍କ ବହୁତ ବହୁତ ଋଣୀ ଅଟେ, ଏ ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀଙ୍କର ଅଟେ । ପ୍ରଧାନମନ୍ତ୍ରୀ ନେତୃତ୍ୱରେ ଆମେ ଆଗକୁ ବଢ଼ୁଛୁ... ପିଏମ୍ ମୋଦୀ ମୋତେ ଆଶୀର୍ବାଦ ଦେଇଛନ୍ତି ।