ଦିଲ୍ଲୀର ହାଇ-ପ୍ରୋଫାଇଲ୍ ପାର୍ଟି ସର୍କିଟ୍ରେ ଏକ ଜଣାଶୁଣା ନାମ ଏବଂ ପ୍ରସିଦ୍ଧ 'ପ୍ଲେବୟ କ୍ଲବ୍'ର ପୂର୍ବତନ ଫ୍ରାଞ୍ଚାଇଜ୍ ହୋଲ୍ଡର ହରପ୍ରୀତ ସିଂହ ତଲଓ୍ବାର ଓରଫ୍ ହାପି ତଲଓ୍ବାରକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଏକ ବଡ଼ ଡ୍ରଗ୍ସ ଚୋରା ଚାଲାଣ ନେଟୱର୍କର ତଦନ୍ତ ସିଲସିଲାରେ ଏହି ଗିରଫଦାରୀ କରାଯାଇଛି, ଯାହାର ସଂଯୋଗ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ (ISI) ସମର୍ଥିତ ନେଟୱର୍କ ଏବଂ ଆନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ୍ ସହ ଥିବା କୁହାଯାଉଛି। ତଦନ୍ତକାରୀ ସଂସ୍ଥା ଅନୁସାରେ, ଏହି ମାମଲା ୨୦୨୧ ମସିହାରେ ଗୁଜରାଟର ମୁନ୍ଦ୍ରା ପୋର୍ଟରେ ଜବତ ହୋଇଥିବା ପ୍ରାୟ ୩୦୦୦ କିଲୋ ହେରୋଇନ୍ର ବିପୁଳ ପରିମାଣ ସହ ଜଡ଼ିତ। ଏହି ମାମଲା ଦେଶରେ ଆନ୍ତର୍ଜାତୀୟ ଡ୍ରଗ୍ସ ଚୋରା ଚାଲାଣର ଏକ ବଡ଼ ନେଟୱର୍କର ପର୍ଦ୍ଦାଫାଶ କରିଥିଲା।
୨୦୨୧ ମସିହାରେ ଡାଇରେକ୍ଟୋରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ଗୁଜରାଟର ମୁନ୍ଦ୍ରା ପୋର୍ଟରେ ଏକ କଣ୍ଟେନରରୁ ପ୍ରାୟ ୩୦୦୦ କିଲୋ ହେରୋଇନ୍ ଜବତ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ମାଲ୍ ଆଫଗାନିସ୍ତାନରୁ ଇରାନର ବନ୍ଦର ଅବ୍ବାସ ଦେଇ ଭାରତ ଅଣାଯାଇଥିଲା। ପ୍ରାରମ୍ଭରେ DRI ଦ୍ୱାରା NDPS ଆକ୍ଟ ଅଧୀନରେ ଏହି ମାମଲାର ତଦନ୍ତ ଆରମ୍ଭ କରାଯାଇଥିଲା, କିନ୍ତୁ ଆନ୍ତର୍ଜାତୀୟ ସଂଯୋଗ ସାମ୍ନାକୁ ଆସିବା ପରେ କେସ୍ର ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) କୁ ହସ୍ତାନ୍ତର କରାଯାଇଥିଲା। NIA ତଦନ୍ତ ବେଳେ ପାଇଥିଲା ଯେ ଏହା କୌଣସି ସାଧାରଣ ଚୋରା ଚାଲାଣ ମାମଲା ନଥିଲା, ବରଂ ଆନ୍ତର୍ଜାତୀୟ ସ୍ତରରେ ଚାଲିଥିବା ଏକ ସଂଗଠିତ ଡ୍ରଗ୍ସ ସିଣ୍ଡିକେଟ୍ର ଷଡ଼ଯନ୍ତ୍ର ଥିଲା। ତଦନ୍ତକାରୀ ସଂସ୍ଥା ଅନୁସାରେ, ଅଭିଯୁକ୍ତମାନେ ବିଦେଶୀ ଡ୍ରଗ୍ସ ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଭାରତରେ ହେରୋଇନ୍ ପହଞ୍ଚାଇବା ପାଇଁ ଆନ୍ତର୍ଜାତୀୟ ବାଣିଜ୍ୟିକ ମାର୍ଗ (ଟ୍ରେଡ୍ ରୁଟ୍) ର ବ୍ୟବହାର କରୁଥିଲେ।
୪୨ ଜଣ ବ୍ୟକ୍ତି ଏବଂ ୭ଟି କମ୍ପାନୀ ଅଭିଯୁକ୍ତ
ଏନଆଇଏ (NIA) ର ତଦନ୍ତରୁ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଅଭିଯୁକ୍ତ ପଙ୍କଜ ବୈଦ ଓରଫ୍ ଅମିତ ଓରଫ୍ ନନି ସୁନୈରା ଓରଫ୍ ସଞ୍ଜୁ ବାବା ଏହି ନେଟୱର୍କର ଏକ ଅଂଶ ଥିଲା। ତାର ପାଖରେ ହେରୋଇନ୍ ପ୍ରୋସେସିଂ ଏବଂ ଏକ୍ସଟ୍ରାକ୍ସନ (ବାହାର କରିବା) ରେ ସାହାଯ୍ୟ କରିବା ଏବଂ ପରେ ଭାରତରେ ଏହାର ଯୋଗାଣ କରିବା ଭଳି ଅଭିଯୋଗ ରହିଛି। NIA ଏହି ମାମଲାରେ ଏପର୍ଯ୍ୟନ୍ତ ଅନେକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିସାରିଛି। ତଦନ୍ତକାରୀ ସଂସ୍ଥା ମୋଟ ୪୨ ଜଣ ବ୍ୟକ୍ତି ଏବଂ ୭ଟି କମ୍ପାନୀକୁ ଅଭିଯୁକ୍ତ କରିଛି। NIA ପ୍ରଥମ ଚାର୍ଜସିଟ୍ ମାର୍ଚ୍ଚ ୨୦२୨ ରେ ଦାଖଲ କରିଥିଲା, ଯେଉଁଥିରେ ୧୬ ଜଣ ଅଭିଯୁକ୍ତ ସାମିଲ ଥିଲେ। ଏହାପରେ ଅଗଷ୍ଟ ୨୦୨୨ ଏବଂ ଫେବୃଆରୀ ୨୦୨୩ ରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରି ଅନ୍ୟ ଅନେକ ଲୋକ ଏବଂ କମ୍ପାନୀଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା।
ମନି ଲଣ୍ଡରିଂ ଦିଗରୁ ତଦନ୍ତ କରୁଛି ED
ଏବେ ଏହି ମାମଲାରେ ED ମଧ୍ୟ ମନି ଲଣ୍ଡରିଂ (ଅବୈଧ ଅର୍ଥ କାରବାର) ଦିଗରୁ ତଦନ୍ତ କରୁଛି। ଡ୍ରଗ୍ସ ଚୋରା ଚାଲାଣରୁ ରୋଜଗାର ହୋଇଥିବା ଟଙ୍କା କେଉଁଠି କେଉଁଠି ବିନିଯୋଗ କରାଯାଇଛି ଏବଂ ଏହି ସମ୍ପୂର୍ଣ୍ଣ ନେଟୱର୍କକୁ ଆର୍ଥିକ ସାହାଯ୍ୟ କିଏ କରୁଥିଲା, ସେ ନେଇ ଏଜେନ୍ସି ଖୋଳତାଡ଼ କରୁଛି। ED ର ତଦନ୍ତରେ ହରପ୍ରୀତ ତଲଓ୍ବାରର ଭୂମିକା ସାମ୍ନାକୁ ଆସିବା ପରେ ତାକୁ ଗିରଫ କରାଯାଇଛି। ତଦନ୍ତକାରୀ ସଂସ୍ଥା ଏବେ ତାର ସମ୍ପର୍କ, ଆର୍ଥିକ କାରବାର ଏବଂ ବିଦେଶୀ ଲିଙ୍କ୍ର ଯାଞ୍ଚ କରୁଛି।
ହରପ୍ରୀତ ତଲଓ୍ବାରର କୁଣ୍ଡଳୀ ଖୋଜୁଛନ୍ତି ତଦନ୍ତକାରୀ ସଂସ୍ଥା
ହରପ୍ରୀତ ତଲଓ୍ବାର ଦିଲ୍ଲୀର ନାଇଟ୍ଲାଇଫ୍ ଏବଂ ପାର୍ଟି ସର୍କିଟ୍ରେ ଏକ ଜଣାଶୁଣା ନାମ ରହିଆସିଛି, କିନ୍ତୁ ଏବେ ଦେଶର ସବୁଠାରୁ ବଡ଼ ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ତାର ନାମ ସାମ୍ନାକୁ ଆସିଛି। ସେ କେବଳ ଆର୍ଥିକ ନେଟୱର୍କର ଏକ ଅଂଶ ଥିଲା ନା ଡ୍ରଗ୍ସ ସିଣ୍ଡିକେଟ୍ରେ ତାର କୌଣସି ବଡ଼ ଭୂମିକା ଥିଲା, ଏଜେନ୍ସିଗୁଡ଼ିକ ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଏହି ମାମଲାରେ ଆଗକୁ ତଦନ୍ତ ଜାରି ରହିଛି ଏବଂ ଆଗାମୀ ଦିନରେ ଏହି ନେଟୱର୍କ ସହ ଜଡ଼ିତ ଆହୁରି ଅନେକ ନାମ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।