ରାତି ପାହିଲେ ରାମ ନବମୀ । ଏଥିପାଇଁ ସାରା ଦେଶ ଉତ୍ସବ ମୁଖର । ରାମ ନାମ ଧ୍ୱନିରେ କମ୍ପୁଛି ସମଗ୍ର ମନ୍ଦିର । ଆଉ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ଥର ପାଇଁ ଏହି ଉତ୍ସବ ପାଳନ କରାଯିବ । ଏନେଇ ରାମ ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଏବଂ ଭକ୍ତଙ୍କ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାସହ ଆସନ୍ତା କାଲି ମଧ୍ୟାହ୍ନ ୧୨ଟା ୧୬ ମିନିଟ ସମୟରେ ରାମଲାଲାଙ୍କ ସୂର୍ଯ୍ୟତିଲକ ହେବ । ପ୍ରଭୁ ରାମଙ୍କ ମସ୍ତକରେ ୫ ମିନିଟ ଧରୁ ଏହା ଶୋଭାବର୍ଦ୍ଧନ କରିବ । ଏବଂ ଆଜି ଭକ୍ତମାନଙ୍କ ଦ୍ୱାରା ୫୬ ପ୍ରକାର ଭୋଗ ମନ୍ଦିରକୁ ଦିଆଯାଇଛି । ଯାହା ଆସନ୍ତା କାଲି ବା ରାମନବମୀ ଅବସରରେ ପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବ । ଏବଂ ରାମ ନବମୀକୁ ଦୃଷ୍ଟିରେ ରଖି ଦର୍ଶନ ସମୟକୁ 19 ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସକାଳ ମଙ୍ଗଳ ଆଳତୀ ଠାରୁ ଆରମ୍ଭ କରି ରାତି 11 ପର୍ଯ୍ୟନ୍ତ ଦର୍ଶନ ଚାଲିବ । ଚାରି ଭୋଗ ନୈବେଦ୍ୟ ଅର୍ପଣ ସମୟରେ 5 ମିନିଟ ପାଇଁ ଦର୍ଶନ ବନ୍ଦ ରହିବ । ରାମ ନବମୀ ଉତ୍ସବକୁ ଅଯୋଧ୍ୟାରେ 100 ଏଲିଡି ମାଧ୍ୟମରେ ପ୍ରସାରିତ କରାଯିବ । ଟ୍ରଷ୍ଟର ସୋସିଆଲ ମିଡିଆ ଆକାଉଣ୍ଟରେ ସିଧାପ୍ରସାରଣ କରାଯିବ ।