ନୂଆଦିଲ୍ଲୀ: ବିଧାନସଭାରୁ ନିଲମ୍ବନ ହେଲେ ଆପର ୧୨ ଜଣ ବିଧାୟକ । ବିରୋଧୀ ଦଳ ନେତା ଅତିଶିଙ୍କ ସମେତ ୧୨ ଜଣ ବିଧାୟକଙ୍କୁ ଦିନକ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି । ମଙ୍ଗଳବାର ବିଧାନସଭା ଆରମ୍ଭରୁ ଗୃହରେ ଦେଖିବାକୁ ମିଳିଥିଲା ପ୍ରବଳ ହଟ୍ଟୋଗୋଳ । ଉପରାଜ୍ୟପାଳ ଅଭିଭାଷଣ ଦେବା ପରେ ବିରୋଧୀ ଆପ ଦଳ ବିଧାୟକ ମାନେ ହଙ୍ଗାମା କରିଥିଲେ । ଏଥିପାଇଁ ଆପ୍ ର ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ଏଥିସହ ବିରୋଧୀ ଦଳ ନେତା ଅତିଶିଙ୍କୁ ମଧ୍ୟ ଦିନକ ପାଇଁ ବିଧାନସଭାରୁ ନିଲମ୍ବିତ କରାଯାଇଛି ।
ମଙ୍ଗଳବାର ଗୃହ ଆରମ୍ଭରୁ ବିଜେପି ଓ ଆପ ନେତା ନାରାବାଜି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସିଏଜି ରିପୋର୍ଟ ଉପସ୍ଥାପନ ବେଳେ ପ୍ରବଳ ବିରୋଧ ପ୍ରଦର୍ଶନ କରିଥିଲେ ଆପ୍ ବିଧାୟକ । ବିରୋଧ ସ୍ୱତେ ଗୃହରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି ।
ଦ୍ବିତୀୟ ଦିନର ଅଧିବେଶନ ଆରମ୍ଭ ହେବା ମାତ୍ରେ, ଉପରାଜ୍ୟପାଳ ଭିକେ ସକ୍ସେନା ଗୃହକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ଆପ ବିଧାୟକମାନେ ବିଜେପି ସରକାର ବିରୋଧରେ ଜୋରଦାର ସ୍ଲୋଗାନ ଦେବାକୁ ଆରମ୍ଭ କରିଥିଲେ । ବାଚସ୍ପତି ବିଧାୟକମାନଙ୍କୁ ଶାନ୍ତ ରହିବା ପାଇଁ ଅନେକ ଅନୁରୋଧ କରିଥିଲେ । ହେଲେ ଉପରାଜ୍ୟପାଳଙ୍କ ଭାଷଣ ଦେବା ବେଳେ, କୌଣସି କଥା ନ ଶୁଣି, ବାଧା ସୃଷ୍ଟି କରି ଚାଲିଥିଲେ ଆପ୍ ବିଧାୟକ । ଫଳସ୍ୱରୂପ, ବାଚସ୍ପତି ବିଧାୟକମାନଙ୍କୁ ଦିନକ ପାଇଁ ନିଲମ୍ବିତ କରିଛନ୍ତି । ସେପଟେ ନିଲମ୍ବିତ ହେବା ପରେ ବିଧାନସଭା ପରିସରରେ ଧାରଣା ଦେିଛନ୍ତି ଆତିଶୀଙ୍କ ସହ ଅନ୍ୟ ଆପ ନେତା ।