ଅହମ୍ମଦାବାଦ: ଗୁଜୁରାଟରେ ବଡ଼ ଧରଣର ବିମାନ ଦୁର୍ଘଟଣା। ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣାଗସ୍ତ ହୋଇଛି। ବିମାନରେ ମୋଟ ୨୪୨ ଜଣ ଲୋକ ରହିଥିଲେ। ତେବେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ମୃତ୍ୟୁର ଫାଶରେ ଫଶିଗଲେ ଶତାଧିକ ଯାତ୍ରୀ । ଏହି ଘଟଣା ସାରା ବିଶ୍ୱରେ ଦୁଃଖର ମହଲ ସୃଷ୍ଟି କରିଛି।
ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆର ବିମାନ ବିଜେ ମେଡିକାଲ କଲେଜର ଡାକ୍ତରଙ୍କ ହଷ୍ଟେଲ ବିଲ୍ଡିଂରେ ମାଡ଼ ହୋଇ ବିସ୍ଫୋରଣ ହୋଇଥିଲା । ଯେଉଁ ଚିତ୍ର ଏବେ ସବୁ ସାମ୍ନାକୁ ଆସିଛି ତାହା ହିଁ ବୟାନ କରୁଛି କେତେ ଭୟାବହ ଥିଲା ଦୁର୍ଘଟଣା । AI-171 ବିମାନର ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅନେକ ମୃତଦେହ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ଏହାରି ଭିତରେ ଦୁର୍ଘଟଣା ସମ୍ପର୍କରେ ଗୁଜରାଟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଧନଞ୍ଜୟ ଦ୍ୱିବେଦୀଙ୍କ ଏକ ବିବୃତ୍ତି ମଧ୍ୟ ପ୍ରକାଶ ପାଇଛି। ପୀଡିତଙ୍କୁ ଚିହ୍ନଟ କରିବା ପାଇଁ ଗୁଜୁରାଟ ସରକାର ବିମାନରେ ଥିବା ଲୋକଙ୍କ ସମ୍ପର୍କୀୟମାନଙ୍କୁ ଡିଏନଏ ନମୁନା (DNA) ଦେବାକୁ ନିବେଦନ କରିଛନ୍ତି। ନିକଟ ସମ୍ପର୍କୀୟଙ୍କୁ ତୁରନ୍ତ ଆସି ସାମ୍ପଲ୍ ଦେବାକୁ କହିଛନ୍ତି ।
ସେ କହିଛନ୍ତି ଯେ ବିମାନଟି ଯେଉଁ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେଠାରେ ବହୁତ କ୍ଷତି ହୋଇଛି। ଏହି ସମୟରେ, ଅଞ୍ଚଳର ଅନେକ ବାସିନ୍ଦା ଆହତ ହୋଇଥିଲେ, ଯେଉଁମାନଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଏହା ବ୍ୟତୀତ ସେ ସିଭିଲ୍ ହସ୍ପିଟାଲ୍ ଦ୍ୱାରା ଜାରି ହୋଇଥିବା ହେଲ୍ପଲାଇନ୍ ନମ୍ବର ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ସେ ମୃତକଙ୍କ ସମ୍ପର୍କୀୟମାନଙ୍କୁ ଚିହ୍ନଟ କରିବା ପାଇଁ ଡିଏନଏ ନମୁନା ଯୋଗାଇବାକୁ ମଧ୍ୟ ଅନୁରୋଧ କରିଥିଲେ।
ସେ କହିଛନ୍ତି ଯେ,ବି.ଜେ. ମେଡିକାଲରେ ଡିଏନଏ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ବିମାନ ଯାତ୍ରୀଙ୍କ ପରିବାର ଏବଂ ନିକଟତମ ବ୍ୟକ୍ତି, ବିଶେଷକରି ସେମାନଙ୍କ ପିତାମାତା ଏବଂ ପିଲାମାନଙ୍କୁ ସେହି ସ୍ଥାନରେ ସେମାନଙ୍କର ନମୁନା ଦାଖଲ କରିବାକୁ ଅନୁରୋଧ କରାଯାଇଛି। ଯାହା ଦ୍ଵାରା ପୀଡିତମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରାଯାଇପାରିବ। ପ୍ରାୟ ୫୦ ଜଣ ଆହତଙ୍କୁ ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲକୁ ଅଣାଯାଇଛି। ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ସେମାନଙ୍କ ଅବସ୍ଥା ଗୁରୁତର କିନ୍ତୁ ସ୍ଥିର ଅଛି।
ସେହିପରି ସିଭିଲ୍ ହସ୍ପିଟାଲକୁ ଅଣାଯାଇଥିବା ଯାତ୍ରୀ ଏବଂ ଅନ୍ୟ ଆହତମାନଙ୍କ ବିଷୟରେ ସେମାନଙ୍କର ସମ୍ପର୍କୀୟମାନେ ପଚରାଉଚରା ପାଇଁ, ସିଭିଲ୍ ହସ୍ପିଟାଲ୍ ଅହମ୍ମଦାବାଦ ଦୁଇଟି ହେଲ୍ପଲାଇନ୍ ନମ୍ବର ଜାରି କରିଛି – ୬୩୫୭୩୭୩୮୩୧ ଏବଂ ୬୩୫୭୩୭୩୮୪୧। ଯେକୌଣସି ସାହାଯ୍ୟ ପାଇଁ ଆପଣ ଏହି ନମ୍ବରଗୁଡ଼ିକରେ ଯୋଗାଯୋଗ କରିପାରିବେ।