ପୁଣି ସାମ୍ନାକୁ ଆସିଲା ବିମାନରେ ଯାତ୍ରୀ ପରିସ୍ରା କରିବା ଘଟଣା । ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ଯାତ୍ରୀ ତାଙ୍କ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି । ବୁଧବାର ଦିଲ୍ଲୀରୁ ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଏହି ଘଟଣା ଘଟିଛି ।
ସୂଚନା ମୁତାବକ, ଏୟାର ଇଣ୍ଡିଆର ବିମାନ AI2336ରେ ବିଜନେସ କ୍ଲାସରେ ଏହି ଦୁର୍ଘଟଣା ଘଟିଛି। ଯେଉଁଠି ଜଣେ ପୁରୁଷ ଯାତ୍ରୀ ତାଙ୍କ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଛନ୍ତି। ଅଭିଯୁକ୍ତ ଜଣକ ବିଜନେସ କ୍ଲାସର ସିଟ୍ ନମ୍ୱର 2Dରେ ଯାତ୍ରା କରୁଥିଲେ। ତେବେ ହଠାତ୍ ଯୁବକ ଜଣକ ତାଙ୍କ ସିଟ ନିକଟରେ ବସିଥିବା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ। ଯୁବକ ଜଣକ ଯାହାଙ୍କ ଉପରେ ପରିସ୍ରା କରିଥିଲେ ସେ ଜଣେ ବଡ଼ କମ୍ପାନୀର ସିଇଓ ।
ତେବେ ଏନେଇ ସେ କ୍ରୁ ନିକଟରେ ଅଭିଯୋଗ କରିଥିଲେ ।ଏହାପରେ ପରିସ୍ରା କରିଥିବା ଯାତ୍ରୀ ଜଣକ ନିଜର ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ସେ ଜଣେ ଛାତ୍ର ହୋଇଥିବାରୁ ତାଙ୍କ କ୍ୟାରିଅର କଥା ଚିନ୍ତା କରି ସହଯାତ୍ରୀ ପୋଲିସରେ ଅଭିଯୋଗ କରିନଥିଲେ । ହେଲେ କ୍ରୁ ମେମ୍ବର ଏକଥା ଜାଣି ପାଇଲଟଙ୍କୁ ଅବଗତ କରିଥିଲେ । ପାଇଲଟ ଏ ସମ୍ପର୍କରେ ଦିଲ୍ଲୀ ବିମାନ ବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲଙ୍କୁ ଜଣାଇଥିଲେ । ଏହାପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଆଇଏସଏଫ୍(CISF) କର୍ମଚାରୀଙ୍କୁ ଏ ବିଷୟରେ ଅବଗତ କରିବାରୁ ଅଭିଯୁକ୍ତ ଯାତ୍ରୀ ଦିଲ୍ଲୀରେ ପହଞ୍ଚିବା ପରେ ସେମାନେ ତାଙ୍କୁ ହେପାଜତକୁ ନେଇ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ଯାତ୍ରୀ ଜଣକ ନିଶାସକ୍ତ ଅବସ୍ଥାରେ ପରିସ୍ରା କରିଥିବା ଜଣାପଡିଛି ।