ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆସିବ ତାର କୌଣସି ସମୟ ନ ଥାଏ । ହସ ଖୁସିରେ ବିବାହ ଉତ୍ସବରେ ନାଚୁଥିବାବେଳେ ଜଣେ ଟଳି ପଡ଼ିଛନ୍ତି ଯୁବତୀ । ଆଉ କେହି କିଛି ବୁଝିବା ପୂର୍ବରୁ ଉଡ଼ି ଯାଇଥିଲା ପ୍ରାଣ ବାୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ । ମୃତ ଯୁବତୀଙ୍କ ହେଲେ ଇନ୍ଦୋରର ପରିଣୀତା ଜୈନ ।
ନିଜ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ ପରିଣୀତା ଜୈନ । ଗତ ୮ ତାରିଖରେ ହଳଦୀ କାର୍ଯ୍ୟକ୍ରମ ଥିଲା । ଏଥିରେ ପରିଣୀତା ବେଶ ଖୁସିରେ ମଞ୍ଚ ଉପରେ ନାଚୁଥିଲେ । କିନ୍ତୁ ନାଚୁ ନାଚୁ ହଠାତ୍ ତଳେ ପଡ଼ି ଯାଇଥିଲେ ପରିଣୀତା । ସେଠାରେ ଉପସ୍ଥିତ ସମ୍ପର୍କୀୟମାନେ ତାଙ୍କୁ ତୁରନ୍ତ ମେଡ଼ିକାଲ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ହୃଦ ଘାତରେ ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଛନ୍ତି । ପୂରା ଘଟଣାର ଭିଡିଓ କ୍ୟାମେରାରେ କଏଦ ହୋଇଯାଇଥିଲା । ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।