ନୂଆଦିଲ୍ଲୀ: ୭୯ତମ ସ୍ଵାଧୀନତା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଆୟୋଜିତ ସମାରୋହରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ନ ଥିଲେ। ଏହାକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରିଛି। ଏବେ କଂଗ୍ରେସ ରାହୁଲ ଓ ଖଡ଼ଗେଙ୍କ କାର୍ଯ୍ୟକ୍ରମରେ ସାମିଲ ନ ହେବାର କାରଣ ଦର୍ଶାଇଛି। ପାର୍ଟିର ମୁଖପାତ୍ର ଅଜୟ ଉପାଧ୍ୟାୟ କହିଛନ୍ତି, ବିରୋଧୀ ଦଳର ନେତାଙ୍କୁ ପ୍ରଥମ ଧାଡ଼ିରେ ଆସନ ଦିଆଯାଏ, ମାତ୍ର ଗତ ବର୍ଷ ସ୍ଵାଧୀନତା ଦିବସରେ ବିରୋଧୀ ଦଳ ନେତାଙ୍କୁ ଶେଷ ଧାଡ଼ିରେ ବସାଯାଇଥିଲା।
ସେ ଆଜତକର ଏକ କାର୍ଯ୍ୟକ୍ରମରେ କହିଛନ୍ତି, ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥିଲେ। ଏହାର କାରଣ ଜନତା ଜାଣିବା ଦରକାର। ଏହି ପରମ୍ପରା ରହିଛି ଯେ, ସାମ୍ବିଧାନିକ ହିସାବରେ ବିରୋଧୀ ଦଳ ନେତାଙ୍କୁ ଆଗ ଧାଡ଼ିରେ ଆସନ ଦିଆଯାଏ। ମାତ୍ର ଗତ ବର୍ଷ ସ୍ଵାଧୀନତା ଦିବସରେ ଆୟୋଜିତ ସମାରୋହରେ ରାହୁଲ ଓ ଖଡ଼ଗେଙ୍କୁ ଶେଷ ଧାଡ଼ିରେ ବସିବାକୁ ଦିଆଯାଇଥିଲା। ଏହା ରାହୁଲ ଓ ଖଡ଼ଗେଙ୍କ ମାମଲା ନୁହେଁ ବରଂ ସମ୍ବିଧାନ ପଦ ମର୍ଯ୍ୟାଦାର ହାନୀ। ଉଭୟ ତ୍ରିରଙ୍ଗା ଉତ୍ତୋଳନ କରି ଏହି ରାଷ୍ଟ୍ରୀୟ ପର୍ବ ପାଳନ କରିଛନ୍ତି। ଏହି ପ୍ରସଙ୍ଗ କୌଣସି ରାଜନୀତିକରଣ ନୁହେଁ।
ବିଜେପି ନେତା ଶେହବାଜ ପୁନାଓ୍ଵାଲା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ସାମିଲ ନ ହେବା ନେଇ ସମାଲୋଚନା କରିଥିଲେ। ସେ କହିଥିଲେ, ବିରୋଧୀର ପଦ ସାମ୍ବିଧାନିକ ପଦ ହୋଇଥାଏ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ତାଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ଥିଲା। ହେଲେ ଏବେ ଏହାର ଉତ୍ତର ଦେଇଛି କଂଗ୍ରେସ।