କୋହିମା: ନାଗାଲାଣ୍ଡର ରାଜ୍ୟପାଳ ଲା ଗଣେଶନଙ୍କ ପରଲୋକ । ୮୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଲା ଗଣେଶନ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ଦିନ ତାଙ୍କର ନିଧନ ହୋଇଥିବା କୋହିମା ରାଜଭବନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ରାଜ୍ୟପାଳ ଗଣେଶନ ଗତ କିଛି ଦିନ ଧରି ହସ୍ପିଟାଲର ଆଇସିୟୁରେ ଥିଲେ । ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ବରିଷ୍ଠ ଡାକ୍ତରମାନେ ନଜର ରଖିଥିଲେ । କିନ୍ତୁ ଶେଷରେ ଲା ଗଣେଶନ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ।
ସୂଚନା ଅନୁଯାୟୀ, ଅଗଷ୍ଟ ୮ ରେ ଗଣେଶନ ହଠାତ୍ ତାଙ୍କ ଘରେ ବେହୋସ ହୋଇ ପଡ଼ିଯାଇଥିଲେ । ଏହି ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତରମାନେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ । ଲା ଗଣେଶନଙ୍କୁ ଫେବୃଆରୀ ୧୨, ୨୦୨୩ରେ ନାଗାଲାଣ୍ଡର ୨୧ତମ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା । ଫେବୃଆରୀ ୨୦, ୨୦୨୩ରେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ଏବଂ ଦେଶରେ ଶୋକର ଛାୟା ଖେଳିଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ନାଗାଲାଣ୍ଡ ରାଜ୍ୟପାଳ ଲା ଗଣେଶନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ନାଗାଲାଣ୍ଡ ରାଜ୍ୟପାଳ ଲା ଗଣେଶନ ଜୀଙ୍କ ମୃତ୍ୟୁରେ ଦୁଃଖିତ । ତାଙ୍କୁ ଜଣେ ଉତ୍ସର୍ଗୀକୃତ ରାଷ୍ଟ୍ରବାଦୀ ଭାବରେ ମନେ ରଖାଯିବ । ଯିଏ ସେବା ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ସେ ତାମିଲନାଡୁରେ ବିଜେପିକୁ ବିସ୍ତାର କରିବା ପାଇଁ କଠିନ ପରିଶ୍ରମ କରିଥିଲେ । ତାମିଲ ସଂସ୍କୃତି ପ୍ରତି ତାଙ୍କର ଗଭୀର ଆନୁଗତ୍ୟ ଥିଲା। ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ସହିତ ମୋର ସମବେଦନା। ଓମ୍ ଶାନ୍ତି।’
ରାଜ୍ୟପାଳ ଲା ଗଣେସନଙ୍କ ଦେହାନ୍ତରେ ନାଗାଲାଣ୍ଡର ଉପମୁଖ୍ୟମନ୍ତ୍ରୀ ୟାନ୍ଥୁଙ୍ଗୋ ପାଟନ୍ ଲେଖିଛନ୍ତି- ଖବର ଶୁଣି ମୁଁ ଗଭୀର ଭାବରେ ମର୍ମାହତ ଏବଂ ଦୁଃଖିତ ହୋଇଛି । ସାର୍ବଜନୀନ ଜୀବନର ତାଙ୍କ ଯାତ୍ରା ସମୟରେ, ସେ ମର୍ଯ୍ୟାଦା, ନମ୍ରତା ଏବଂ ଜନ କଲ୍ୟାଣ ପ୍ରତି ଅଟଳ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ । ନାଗାଲାଣ୍ଡରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ସଦ୍ଭାବକୁ ସୁଦୃଢ଼ କରିବା, ବିକାଶକୁ ଉତ୍ସାହିତ କରିବା ଏବଂ ଲୋକଙ୍କ ଆକାଂକ୍ଷାକୁ ସମର୍ଥନ କରିବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ନେତୃତ୍ୱ ଏବଂ ରାଜ୍ୟ ସାରା ସମ୍ପ୍ରଦାୟ ସହିତ ସଂଯୋଗ ସ୍ଥାପନ କରିବାର କ୍ଷମତା ତାଙ୍କୁ ପ୍ରକୃତ ସ୍ନେହ ଏବଂ ସମ୍ମାନ ପ୍ରଦାନ କରିଥିଲା ।