ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଶୁକ୍ରବାର ବଡ ଦାବି କରିଛନ୍ତି । ସେ କହିଛନ୍ତି ରୁଷ ଓ ଚୀନ ସହ ମିଶି ଭାରତ ଆମେରିକାର ରାଜନୈତିକ ଓ ଆର୍ଥିକ ଗୁଣ୍ଡାଗିରିକୁ ସମାପ୍ତ କରି ଦେବେ । ହରିଦ୍ୱାରରେ ୭୯ତମ ସ୍ୱାଧୀନତା ଦିବସ ଅବସରରେ ପତଞ୍ଜଳି ବିଶ୍ୱ ବିଦ୍ୟାଳୟ ଓ ପତଞ୍ଜଳି ଯୋଗ ଭବନରେ ଧ୍ୱଜାରୋହଣ କରିବା ରପେ ସ୍ୱାମୀ ରାମଦେବ ଦୃଢତାର ସହ କହିଛନ୍ତି ଯେ, ବିଶ୍ୱରେ ଭାରତ, ରୁଷ, ଚୀନ ତଥା ୟୁରୋପ ଓ ମଧ୍ୟ ଏସିଆର କିଛି ଦେଶ ମଧ୍ୟରେ ଏକ ନୂଆ ମେଣ୍ଟ ତିଆରି ହେବାରେ ଲାଗିଛି ।
ରାମ ଦେବ ଏହି ମେଣ୍ଟକୁ ବିଶ୍ୱ ପାଇଁ ଏକ ଭଲ ସନ୍ଦେଶ ଦର୍ଶାଇ କହିଛନ୍ତି ଯେ, ଭାରତ ଆମେରିକା ସାମ୍ନାରେ ନଇଁବ ନାହିଁ ଏବଂ ଛିଡା ହେବାକୁ ନିଷ୍ପତ୍ତି ନେଇଛି । ଭାରତର ଅର୍ଥ ବ୍ୟବସ୍ଥାକୁ ମୃତ ଦର୍ଶାଇଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମାଲୋଚନା କରି ରାମଦେବ କହିଛନ୍ତି ଯେ, ଭାରତ କେବଳ ଜୀବନ୍ତ ନୁହେଁ ବରଂ ଦ୍ରୁତ ଗତିରେ ଆଗକୁ ବଢୁଥିବା ଏକ ଅର୍ଥନୀତି ।
ସେ କହିଛନ୍ତି, ୩୦୦ ବର୍ଷ ପୂର୍ବେ ଭାରତର ଅର୍ଥବ୍ୟବସ୍ଥା ୪୦୦ରୁ ୫୦୦ ଟ୍ରିଲିୟନ ଡଲାର ଥିଲା । ମୋଗଲ ଓ ଇଂରେଜ ମାନେ ଆମ ଦେଶକୁ ଲୁଟି ଚାଲିଲେ । ତଥାପି ଭାରତ ଆଜି ବି ଛାତି ଫୁଲାଇ ଛିଡା ହୋଇଛି । ଭାରତକୁ ସ୍ୱାବଲମ୍ବୀ ହେବାର ଅଚି ଏବଂ ସ୍ୱଦେଶ ଉତ୍ପାଦନ ବୃଦ୍ଧି କରିବାକୁ ପଡିବ ।
ଯୋଗ ଗୁରୁ କହିଛନ୍ତି, ଆମେରିକାର ରାଜନୈତିକ ଓ ଆର୍ଥିକ ଗୁଣ୍ଡାଗିରିର ସମାପ୍ତି ପାଇଁ ଭାରତ ଦୁନିଆରେ ଏକ ନୂଆ ୱାର୍ଲ୍ଡ ଅର୍ଡର କରିବାରେ ଜୁଟି ଯାଇଛି । ଯଦି ରୁଷ, ଚୀନ, ଭାରତ, ମଧ୍ୟ ଏସିଆର କିଛି ଦେଶ ଏବଂ କିଛି ୟୁରୋପୀୟ ଦେଶ ମଧ୍ୟରେ ମେଣ୍ଟ ହୋଇଯିବ ତେବେ ଆମେ ଆମେରିକା ଓ ଟ୍ରମ୍ପଙ୍କୁ ତାଙ୍କର ଔକାତ ଦେଖାଇ ଦେବୁ ।