ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାକୁ ନେଇ ଚାଲିଥିବା ପୁନଃ ନିରୀକ୍ଷଣକୁ ବିରୋଧ କରି ଆସିଛନ୍ତି ବିରୋଧୀ ଦଳ । ସଂସଦରେ ଏହାକୁ ନେଇ ଲଗାତାର ଆନ୍ଦୋଳନ ଜାରି ରହିଛି । ଏହା ବ୍ୟତୀତ ବିରୋଧୀଙ୍କ ପକ୍ଷରୁ ଗୃହରେ ଏ ପ୍ରସଙ୍ଗରେ ଆଲୋଚନା ଦାବି କରାଯାଉଛି । ଏହା ମଧ୍ୟରେ ରାହୁଲ ଗାନ୍ଧୀ ସଂସଦ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଆମ ପାଖରେ ମତଦାତା ତାଲିକାରେ ତ୍ରୁଟିକୁ ନେଇ ବଡ ତଥ୍ୟ ରହିଛି, ଯାହାର ଖୁଲାସା ହେଲେ ନିର୍ବାଚନ ଆୟୋଗ ଥରହର ହୋଇଯିବେ ।
ଋାହୁଲ ଗାନ୍ଧୀ କହିଛନ୍ତି, ଆମକୁ ମଧ୍ୟ ପ୍ରଦେଶରେ ସନ୍ଦେହ ଥିଲା, ଲୋକସଭା ନିର୍ବାଚନରେ ବି ସନ୍ଦେହ ଥିଲା । ମହାରାଷ୍ଟ୍ର ନିର୍ବାଚନରେ ଆମର ସନ୍ଦେହ ଆହୁରି ବଢିଗଲା । ରାଜ୍ୟ ନିର୍ବାଚନସ୍ତରରେ ଆମକୁ ଲାଗିଲା ଯେ, ଭୋଟ୍ ଚୋରି ହେଉଛି । ପୁଣି ଆମେ ଅଧ୍ୟୟନ କଲୁ । ଆମେ ନିଜ ସ୍ତରରେ ଯାଞ୍ଚ କଲୁ, ଯାହା ଛଅ ମାସ ସମୟ ଲାଗିଲା । ଆମକୁ ଯାହା ମିଳିଛି ତାହା ଏକ ପରମାଣୁ ବୋମା । ଯେବେ ଏହା ଫୁଟିବ ନିର୍ବାଚନ ଆୟୋଗ ଆଉ ରହିବ ନାହିଁ । ରାହୁଲ ଗାନ୍ଧୀ କହିଛନ୍ତି, ଏକ କୋଟି ଭୋଟର ବିଧାନସଭା ନିର୍ବାଚନରେ ଜଡିତ ହେବାରୁ ଆମର ସନ୍ଦେହ ଆହୁରି ବଢିଥିଲା । ପୁଣି ଆମେ ନିଜ ସ୍ତରରେ ଯାଞ୍ଚ କରାଇଲୁ । ଏହି ଯାଞ୍ଚରୁ ଯାହା ମିଳିଲା ତାହା ହେଉଛି ଏଟମ ବମ । ଏହା ଫୁଟିଲେ ଆଉ ନିର୍ବାଚନ ଆୟୋଗ ରହିବ ନାହିଁ ।
ବିରୋଧୀ ଦଳ ନେତା କହିଛନ୍ତି ନିର୍ବାଚନ ଆୟୋଗ ବିଜେପି ପାଇଁ ଭୋଟ ଚୋରି କରୁଛନ୍ତି । ଏହାର ପୂରା ପ୍ରମାଣ ଆମ ପାଖରେ ରହିଛି । ମୁଁ ତ କହୁଛି ଭୋଟ୍ ଚୋରି ହୋଇଛି । ଏବେ ବଳିଷ୍ଠ ପ୍ରମାଣ ଆମ ପାଖରେ ରହିଛି । ଯେବେ ଆମେ ଏହାର ଖୁଲାସା କରିବୁ ତେବେ ନିର୍ବାଚନ ଆୟୋଗକୁ ଲୁଚିବା ପାଇଁ ଜାଗା ମିଳିବ ନାହିଁ । ପୂରା ଦେଶ ଜାଣିବ ଯେ, ନିର୍ବାଚନ ଆୟୋଗ କେମିତି ଭୋଟ୍ ଚାରି କରିଥାଏ । ଆଉ ଏହି କାମ ବିଜେପି ପାଇଁ କରୁଛନ୍ତି ।